ନୂଆପଲ୍ଲୀ‌ରେ ସପନ ଅମୃତ ଯୋଜନା: ଲଟକିଛି ଓଭର୍‌ହେଡ୍‌ ଟାଙ୍କି ନିର୍ମାଣ

ନୂଆପଲ୍ଲୀ‌ରେ ସପନ ଅମୃତ ଯୋଜନା: ଲଟକିଛି ଓଭର୍‌ହେଡ୍‌ ଟାଙ୍କି ନିର୍ମାଣ

ଖଣ୍ଡଗିରି: ବିଏମ୍‌ସି ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଘରକୁ ପାଣି ପାଇପ୍ ସଂଯୋଗ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ଜଳ ମିଳୁନାହିଁ। ତେଣୁ ଗତ ୩ ମାସ ହେଲା ଲୋକଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଛି। ରାଜଧାନୀର ବହୁ ଅଞ୍ଚଳରେ ଅମୃତ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଥିଲେ ବି ନୂଆପଲ୍ଲୀ ଭଳି ଅଞ୍ଚଳରେ ଏହି ଯୋଜନା ସ୍ବପ୍ନ ପାଲଟିଛି। ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ବି ଉକ୍ତ ଫାଇଲ୍‌ ସେମିତି ଅଲୋଡ଼ା ଅବସ୍ଥାରେ ପଡ଼ିରହିଛି ବୋଲି ଅଭିଯୋଗ ହୋଇଛି।

ସୂଚନା‌ଯୋଗ୍ୟ ଯେ ନୂଆପଲ୍ଲୀର ମଙ୍ଗଳା ମନ୍ଦିର ଅଞ୍ଚଳ, ମେଟ୍ରୋସିଟି ସାମ୍ନା ଅଞ୍ଚଳ, ବନଦୁର୍ଗା ଲେନ୍‌, ନିରୁପମା ଆପାର୍ଟମେଣ୍ଟ ଲେନ୍‌ ଭଳି ଅନେକ ଅଞ୍ଚଳରେ ଘରକୁ ପାଇପ୍‌ ସଂଯୋଗ ହୋଇଛି। କିନ୍ତୁ ‌ଲୋକମାନେ ଆବଶ୍ୟକ ପରିମାଣର ପାଣି ପାଇପାରୁନାହାନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ଣ ୨ଟା ଯାଏଁ ଜଳଯୋଗାଣ ହେଉଛି ବୋଲି ରେକର୍ଡ କହୁଥିଲେ ବି ତାହା ସତ ନୁହେଁ। କେତେବେଳେ ପାଣି ଆସୁଛି ତ କେତେବେଳେ ଆସୁନାହିଁ। ପୁଣି ଅଧିକାଂଶ ସମୟ‌ରେ ପାଇପ୍‌ରେ ଜଳ ପ୍ରବାହ ଏତେ କମ୍‌ ହେଉଛି ଯେ ଗୋଟିଏ ବାଲ୍‌ତି ପାଣି ଭରିବାକୁ ଅଧଘଣ୍ଟା ଲାଗିଯାଉଛି। ବାରମ୍ବାର ଅଭିଯୋଗ ହେବା ପରେ ୱାଟ୍‌କୋ କର୍ତ୍ତୃପକ୍ଷ ଅସ୍ଥାୟୀ ବ୍ୟବସ୍ଥା କରି ଟ୍ୟାଙ୍କର୍‌ ଯୋଗେ ଜଳଯୋଗାଣ କରୁଛନ୍ତି। କିନ୍ତୁ ସବୁ ଲୋକ ବାହାରକୁ ଆସି ଟ୍ୟାଙ୍କରରୁ ଜଳ ବୋହିବା ସମ୍ଭବ ହେଉନାହିଁ। ଆପାର୍ଟମେଣ୍ଟ ବାସିନ୍ଦାମାନେ ଟ୍ୟାଙ୍କର୍‌ରୁ ପାଣି ବୋହି ପାରୁନାହାନ୍ତି। କିଛି ଲୋକ ଏଥିପାଇଁ ଲୋକ ଲଗାଇ ପାଣି ବୋହୁଛନ୍ତି ଓ ସେବାବଦରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ ପିଏଚ୍‌ଡି ବିଭାଗ ହାତରୁ ୱାଟ୍‌‌କୋକୁ ପାନୀୟ ଜଳ ଯୋଗାଣ ଦାୟିତ୍ବ ଦିଆଯିବା ପରଠାରୁ ଏହି ଅବବ୍ୟସ୍ଥା ଦେଖାଯାଇଛି। ସୁବିଧା ପାଇବା ବଦଳରେ ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ କୁଆଖାଇରୁ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ୩ ବର୍ଷ ତଳେ ଜୟଦେବବିହାର ଛକରୁ ଏହି ଲାଇନ୍‌ କାଟି ସିଆର୍‌ପି ଆଡୁ ଆସୁଥିବା ନରାଜ ପାଣି ଲାଇନ୍‌ ସହିତ ଏହି ଅଞ୍ଚଳକୁ ଯୋଡ଼ି ଦିଆଗଲା। ସେବେଠାରୁ ଏହି ସମସ୍ୟା ଲାଗିରହିଛି।

ଏ ସମ୍ପର୍କରେ କର୍ପୋରେଟର ବନ୍ଦିତା ପାଲ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ୱାଟ୍‌କୋ ଅତିରିକ୍ତ ପରିଚାଳକ ରମେଶ ଚନ୍ଦ୍ର ସିଠଙ୍କ କହିବା କଥା କିଛି ଲୋକ ପାଇପ୍‌ ଲାଇନ୍‌ରେ ମଟର ଲଗାଇ ପାଣି ଉଠାଇ ନେଉଥିବାରୁ ତଳ ଅଞ୍ଚଳକୁ ଯଥେଷ୍ଟ ପାଣି ମିଳୁନାହିଁ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ ଜରୁରୀ ହୋଇପଡ଼ିଛି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସରକାରୀ ଜମି ଚିହ୍ନଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜାଗା ମିଳିବା ପରେ ତୁରନ୍ତ ଓଭର୍‌ହେଡ୍‌ ଟାଙ୍କି ନିର୍ମାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe