ଭୁବନେଶ୍ୱର: ଅମୂଲ୍ୟକୃଷ୍ଣ ମିଶ୍ର ଏକାଧାରରେ ଜଣେ ଗାଳ୍ପିକ, ନାଟ୍ୟକାର, ପ୍ରାବନ୍ଧିକ, ଔପନ୍ୟାସିକ ଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ସେ ୩୫ଟି ପୁସ୍ତକ ଭେଟି ଦେଇଛନ୍ତି। ଅମୂଲ୍ୟକୃଷ୍ଣ ସ୍ୱାଭିମାନୀ ଓ ସ୍ୱାଧୀନଚେତା ଥିଲେ। ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ତରୁଣ ବୟସରେ ସେହି କଲେଜରୁ ହିଁ ଅଧ୍ୟାପକ ଚାକିରୀ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭଞ୍ଜନଗର କଲେଜ, ଖୋର୍ଦ୍ଧାର ପ୍ରାଣନାଥ କଲେଜ, କଟକର ଜେକେବିକେ କଲେଜ, ଭୁବନେଶ୍ୱରର ରାଜଧାନୀ କଲେଜ ଓ ବିଜେବି କଲେଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସଂପାଦନା କରିଥିଲେ। ସେ ଜଣେ ହୃଦୟ ଖୋଲା ଲୋକ ଥିଲେ। ଜୀବନକୁ କେମିତି ଖୁସିରେ ବଞ୍ଚିହେବ ତାହା ତାଙ୍କଠାରୁ ଶିଖିବାର ଥିଲା ବୋଲି ସ୍ବର୍ଗତ ମିଶ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ପ୍ରଫେସର ଜୟନ୍ତ ମହାପାତ୍ର ମୁଖ୍ୟଅତିଥି, ଅବସରପ୍ରାପ୍ତ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି, ସାହିତ୍ୟିକ ସାତକଡ଼ି ହୋତା ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। କବି ହୁସେନ୍ ରବି ଗାନ୍ଧୀ ଅମୂଲ୍ୟଙ୍କ ସହ ବିତାଇ ଥିବା ମୁହୂର୍ତ୍ତର କିଛି ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଜର୍ମାନୀରୁ ସାହିତ୍ୟିକ ରାଜେନ୍ଦ୍ର ନାରାୟଣ ଦାସ ପଠାଇଥିବା ବାର୍ତାକୁ ହେମେନ୍ଦ୍ର ନାରାୟଣ ଦାସ ପାଠ କରିଥିଲେ। ପ୍ରତାପାଦିତ୍ୟ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସୁବ୍ରତ ବଳ ଧନ୍ୟବାଦ ଦେଇଥିଲେ।
Follow Us