ଅହଂକାରଶୂନ୍ୟ ମଣିଷ ସଫଳତାର ଶୀର୍ଷ ଛୁଇଁପାରେ

Advertisment

ବୁଦ୍ଧ ମନ୍ଦିରରେ ‘ବିଦ୍ୟାର୍ଥୀ ଅଭିନନ୍ଦନ-୨୦୨୨’

ବୁଦ୍ଧ ମନ୍ଦିରରେ ‘ବିଦ୍ୟାର୍ଥୀ ଅଭିନନ୍ଦନ-୨୦୨୨’

ଅହଂକାରଶୂନ୍ୟ ମଣିଷ ସଫଳତାର ଶୀର୍ଷ ଛୁଇଁପାରେ

ଭୁବନେଶ୍ବର: ଅହଂକାରଠାରୁ ଦୂରେଇ ରହିଲେ ସଫଳତାର ଶୀର୍ଷରେ ପହଞ୍ଚି ହେବ। ଚଳିତ ବର୍ଷ ମାଟ୍ରିକ୍‌ରେ ୮୦ ପ୍ରତିଶତରୁ ଊର୍ଧ୍ବ ନମ୍ବର ରଖିଥିବା ମେଧାବୀମାନଙ୍କୁ ସମ୍ବର୍ଧିତ କରିବା ଅବସରରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି। ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ମଧ୍ୟ ଅହଂକାରର ବଶବର୍ତ୍ତୀ ହେବା ଉଚିତ ନୁହେଁ। ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ମଣିଷର ଅସଲ ଜୀବନଯାତ୍ରା ଆରମ୍ଭ ହୁଏ। ଏହି ପରିପ୍ରେକ୍ଷୀରେ ତୁମମାନଙ୍କର ଯାତ୍ରା ଏଇଠୁ ଆରମ୍ଭ ହେଲା। ସେହିଭଳି ଶ୍ରେଣୀରେ ପ୍ରଥମ ହେବା ଯେତିକି ଆନନ୍ଦଦାୟକ, ତାହାକୁ ବଜାୟ ରଖିବା ସେତିକି କଷ୍ଟକର। ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଜୀବନର ସଫଳତାକୁ ଅତୁଟ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ‘ବିଦ୍ୟାର୍ଥୀ ଅଭିନନ୍ଦନ-୨୦୨୨’ କାର୍ଯ୍ୟକ୍ରମରେ ସଂସ୍ଥାନ ଅଧୀନରେ ଆସୁଥିବା ବିଦ୍ୟାଳୟର ମାଟ୍ରିକ୍‌ ମେଧାବୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି କରୁଣାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ ସହ ତାଳ ଦେଇ ଆମକୁ ଓଡ଼ିଆ ସହ ଇଂରାଜୀ ଭାଷାରେ ପାରଦର୍ଶିତା ହାସଲ କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ପ୍ରଫେସର୍‌ ହରେକୃଷ୍ଣ ଶତପଥୀ କହିଲେ, ଶିକ୍ଷାର ମୂଳ ଉଦ୍ଦେଶ୍ୟ ନମ୍ରତା। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କାଲାମ୍‌ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ, ପୃଥିବୀ ବହୁଭାଷୀ। ତେଣୁ ଇଂରାଜୀ, ଓଡ଼ିଆ ଭାଷା ବ୍ୟତୀତ ଯଥାସମ୍ଭବ ଅନ୍ୟ ଭାଷା ଶିକ୍ଷ‌ା କରିବା ଜରୁରୀ। କୌଣସି ଏକ ପ୍ରସଙ୍ଗକୁ ବୁଝିବା ପାଇଁ ଭାଷା ଏକ ମାଧ୍ୟମ। ତେଣୁ ବୁଝିପାରୁଥିବା ଭାଷାକୁ ଅନୁସରଣ କର। ଅନ୍ୟତମ ଅତିଥି ବିଶିଷ୍ଟ ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ କହି‌ଲେ, ଜୀବନରେ କ୍ୟାରୟର୍‌ କାଉନସେଲିଂର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ଦିଗରେ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ଉଚିତ ମାଗଦର୍ଶନ ନ ମିଳିବାରୁ ମାଟ୍ରିକ୍‌ ପରେ ପିଲାମାନଙ୍କ ଶିକ୍ଷାର ମାନ ହ୍ରାସ ଘଟୁଛି। ତେଣୁ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିକ୍ଷାବିତ୍‌ ଦିଲ୍ଲୀପ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe