ପୁଅ ଜନ୍ମକଲେନି ବୋଲି ପତ୍ନୀ ଓ ୨ଝିଅଙ୍କୁ ପୋଡ଼ି‌ଦେବାକୁ ଉଦ୍ୟମ

Advertisment

ବନ୍ଧାହେଲା ସୈତାନ ସ୍ବାମୀ

ବନ୍ଧାହେଲା ସୈତାନ ସ୍ବାମୀ

ପୁଅ ଜନ୍ମକଲେନି ବୋଲି ପତ୍ନୀ ଓ ୨ଝିଅଙ୍କୁ ପୋଡ଼ି‌ଦେବାକୁ ଉଦ୍ୟମ

ଭୁବନେଶ୍ବର: ଦୁଇ ଦୁଇଟି ଝିଅ ଜନ୍ମକଲେ। ପୁଅଟିଏ ଜନ୍ମ ଦେଇପାରିଲେନି। ଏତିକି ଥିଲା ମହିଳାଙ୍କର ଦୋଷ। ତେଣୁ ସ୍ବାମୀ ପାଲଟିଗଲା ସୈତାନ। ପତ୍ନୀ ଓ ୨ ଝିଅଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କଲା। ମା’ ଓ ୨ ଛୁଆ ଖଟରେ ଶୋଇଥିବା ବେଳେ ନିଆଁ ଲଗାଇଦେଲା। ସୌଭାଗ୍ୟକୁ ଠିକ ସମୟରେ ମହିଳାଙ୍କ ନିଦ ଭାଙ୍ଗିଗଲା। ଫଳରେ ତିନି ତିନିଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲା। ଏହା କୌଣସି ଅପନ୍ତରା ଅପହଞ୍ଚ ଅଞ୍ଚଳର କଥା ନୁହେଁ। ଖୋଦ ରାଜଧାନୀରୁ ଆସିଛି ଏଭଳି ହୀନ ମାନସିକତାର ବିକଳ ଚିତ୍ର। ଆଜି ଏଭଳି ଏକ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ମହିଳା ଥାନା ପୁଲିସ ସୈତାନ ସ୍ବାମୀ ଆଶୁତୋଷ ମହାନ୍ତିକୁ ଗିରଫ କରିଛି।

୨୦୦୬ ମସିହାରେ ପୀଡ଼ିତାଙ୍କୁ ଆଶୁତୋଷ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ପୀଡ଼ିତା କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ। ଏହାପରଠୁ ଆଶୁତୋଷର ମୁଣ୍ଡ ବିଗିଡ଼ିଯାଇଥିଲା। ପ୍ରଥମତଃ ତା’ର ରୋଜଗାର ନଥିଲା। ଦ୍ବିତୀୟରେ ସେ ଅଭ୍ୟାସଗତ ନିଶାଡ଼ି ଥିଲା। ପତ୍ନୀ ଝିଅ ଜନ୍ମଦେବା ପରେ ସେ ଆହୁରି ନିଶାସକ୍ତ ହୋଇପଡ଼ିଥିଲା। ପୁଅ ଜନ୍ମଦେବା କଥା କହି ପତ୍ନୀଙ୍କୁ ସବୁବେଳେ ମାଡ଼ ମାରୁଥିଲା। ଝିଅ ଜନ୍ମ ଦେଇଥିବାରୁ ବାପଘରୁ ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲା। ଭାଗ୍ୟକୁ ଆଦରି ମହିଳାଜଣକ ସବୁ ସହିଯାଉଥିଲେ। ଏହାଭିତରେ ସେ ଆଉ ଗୋଟିଏ ଝିଅ ଜନ୍ମଦେଲେ। ଏଥର ଆଶୁତୋଷର ମୁଣ୍ଡରେ ପିଶାଚ ପଶିଲା। ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ସେ ପତ୍ନୀ ଓ ୨ ଝିଅଙ୍କୁ ମାରିଦେବାକୁ ଚିନ୍ତାକଲା। ଚଳିତ ମାସ ୫ ତାରିଖ ରାତିରେ ମା’ ଓ ୨ଝିଅ ଖଟରେ ଶୋଇଥିବା ବେଳେ ଆଶୁତୋଷ ଛପିଛପି ଆସି ଖଟରେ ନିଆଁ ଲଗାଇଦେଇଥିଲା। ଠିକ୍ ଏହି ସମୟରେ ମହିଳାଙ୍କ ନିଦ ଭାଙ୍ଗିଗଲା। ସେ ଉଠିପଡ଼ିବା ଦେଖି ଆଶୁତୋଷ ସେଠାରୁ ଦୌଡ଼ି ପଳାଇଥିଲା। ପତ୍ନୀ ଖଟରୁ ୨ଛୁଆଙ୍କୁ ଟାଣି ନେଇ ରକ୍ଷା କରିଥିଲେ। କିନ୍ତୁ ଏଥର ସେ ଆଉ ନିରବ ରହିନଥିଲେ। ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନା ପୁଲିସ ଆଶୁତୋଷକୁ ଖୋଜୁଥିଲା। ଗତକାଲି ରାତିରେ ଆଶୁତୋଷ ପୁଣି ମଦ ନିଶାରେ ଚୁର୍‌ ହୋଇ ଘରେ ପହଞ୍ଚିଥିଲା ଏବଂ ପତ୍ନୀ ଓ ୨ ଛୁଆଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି ତାକୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe