କୁଆଖାଇ ନଦୀପଠାରେ ଅଜଣା ଶବ, ହତ୍ୟା କରି ବାଲିରେ ପୋତି ଦେଇଛନ୍ତି!

୬ ବର୍ଷର ଶିଶୁକୁ ଅପହରଣ କରି ଆକ୍ରମଣ, ଗୁରତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର

New indian express

ବାରଙ୍ଗ : ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ କୁଆଖାଇ ନଦୀ ପଠାରେ ବାଲିରେ ପୋତି ହୋଇ ରହିଛି ଅଜଣା ମୃତଦେହ। ଏ ଖବର ବୁଧବାର ଦିନ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅପରାଧୀଙ୍କ ଚରାଭୂଇଁ ଭା‌ବେ ପରିଚିତ ଏହି ପଠାରେ ଦୁର୍ବୃତ୍ତମାନେ କାହାକୁ ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ବାଲି ଉପରୁ ଦେଖା ଯାଉଥିବା ଗୋଟିଏ ହାତ କଳା ପଡ଼ି ଯାଇଥିବାରୁ ଶବଟି ଦରପୋଡ଼ା ବୋଲି ଅନୁମାନ କରାଯାଉଛି। ତେଣୁ ହତ୍ୟାକାଣ୍ଡ ପରେ ଶବକୁ ଅଧାପୋଡ଼ା ଅବସ୍ଥାରେ ବାଲିରେ ପୋତି ଦିଆଯାଇଥିବା କୁହାଯାଉଛି। ବୁଧବାର ସନ୍ଧ୍ୟା ହୋଇ ଯାଇଥିବାରୁ ପୁଲିସ ଶବ ଉଦ୍ଧାର କରିପାରି ନାହିଁ। ଗୁରୁବାର ସକାଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ପୁଲିସ ବାଲି ଭିତରୁ ଶବକୁ ବାହାର କରିବ ବୋଲି ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟାକାଣ୍ଡ କି ଅନ୍ୟ କିଛି, ତାହା ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

publive-image

ବୁଧବାର ସନ୍ଧ୍ୟାରେ କିଛି ସ୍ଥାନୀୟ ଯୁବକ ନଦୀପଠାକୁ ବୁଲିବାକୁ ଯାଇଥିବାବେଳେ ବାଲି ଭିତରୁ ଏକ ହାତ ଉପରକୁ ଦେଖିବାକୁ ପାଇଥିଲେ। ସେହିଭଳି ଗୋଟିଏ ଗୋଡ଼ର କିଛି ଆଙ୍ଗୁଠି ମଧ୍ୟ ବାଲି ଉପରକୁ ଦେଖାଯାଉଥିଲା। କୌଣସି ପ୍ରକାର ଚୁଡ଼ି କି ପାଣି କାଚ ନଥିବାରୁ ଏହା ଏକ ପୁରୁଷ ହାତ ବୋଲି ଜଣା ପଡ଼ୁଛି। ତୁରନ୍ତ ଯୁବକମାନେ ମଞ୍ଚେଶ୍ବର ଥାନାକୁ ଏହି ଖବର ଜଣାଇଥିଲେ। ଖବର ପାଇ ମ‌ଞ୍ଚେଶ୍ବର ଥାନା ପୁଲିସ ଟିମ୍‌ ନେଇ ଏସିପି ସଞ୍ଜୀବ ଶତପଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପଚରାଉଚରା ପରେ ଏହା ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ମୃତଦେହ ନୁହେଁ ବୋଲି ଆପାତତଃ ସ୍ପଷ୍ଟ ହୋଇଛି। ଉକ୍ତ ସ୍ଥାନଟି ମଶାଣି ହୋଇନଥିବାରୁ ସେଠାରେ ଶବ ପୋତାଯାଏ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିଭଳି ଏବେ ନଦୀରେ ସ୍ରୋତ ନଥିବାରୁ ଶବ ଭାସି ଆସିନାହିଁ।

ସ୍ଥାନୀୟ ଲୋକଙ୍କ କହିବା କଥା; ବାଲିଯାତ୍ରା ପଡ଼ିଆକୁ ରାତିରେ ବହୁ ଅସାମାଜିକ ଯୁବକଙ୍କ ଯାତାୟତ ଲାଗି ରହୁଛି। ତେଣୁ ହତ୍ୟାକାଣ୍ଡ ପରେ କେହି ଦୁର୍ବୃତ୍ତ ଶବକୁ ବାଲିରେ ପୋତି ଦେଇଛି। ଗତ ଦୁଇ ଦିନର ବର୍ଷାରେ ବାଲି ଧୋଇଯିବା ପରେ ଏବେ ହାତଟି ଉପରକୁ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe