୧୪ତମ ଆନନ୍ଦ ଉତ୍ସବ: ଗୌରହରି ଓ ନିରଞ୍ଜନଙ୍କୁ ଆନନ୍ଦଶ୍ରୀ ସମ୍ମାନ

୧୪ତମ ଆନନ୍ଦ ଉତ୍ସବ: ଗୌରହରି ଓ ନିରଞ୍ଜନଙ୍କୁ ଆନନ୍ଦଶ୍ରୀ ସମ୍ମାନ

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍’ ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୧୪ତମ ଆନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଅନୁଷ୍ଠାନର ଉପଦେଷ୍ଟା ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଥିଲେ, ଓଡ଼ିଶୀ କଳାକାର, ଲୋକ ନୃତ୍ୟ, ଲୋକକଳା, ଲୋକଗୀତ ଆଦିକୁ ଆମେ ଉତ୍ସାହିତ କରିବା ଆବଶ୍ୟକ। ଆମେ ଯେତେ ଉତ୍ସାହିତ କରିବା ଓଡ଼ିଆ ଜାତି ଅସ୍ମିତା ସେତେ ପ୍ରତିପାଦିତ ହୋଇପାରିବ। ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ଅନୁଷ୍ଠାନର ଅଧ୍ୟକ୍ଷ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ଆନନ୍ଦଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ପୂଜ୍ୟପୂଜା ପରମ୍ପରା ଅନୁସାରେ ପୁଷ୍ପାଭିଷେକ କରାଯାଇଥିଲା। ଅନୁଷ୍ଠାନକୁ ପ୍ରଶଂସା କରି ଶ୍ରୀ ଦାସ କହିଥିଲେ, ପାଦ ଥିଲେ ଚାଲି ହୁଏ, ହାତ ଥିଲେ ଲେଖି ହୁଏ ନାହିଁ। ଛୋଟ ଛୋଟ ପିଲାଙ୍କୁ ଦେଖିଲେ ମନେ ହୁଏ ପାଦଥିଲେ ଚାଲି ହୁଏ, ହେଲେ ନାଚି ହୁଏ ନାହିଁ। ଏଥିପାଇଁ ବହୁ ଆଶିଷ ସହ ନିଜର ଉଦ୍‌ଯୋଗର ଆବଶ୍ୟକତା ରହିଛି। ଯାହା ଶିଳ୍ପୀମାନଙ୍କୁ ସାଧାରଣ ମଣିଷଠାରୁ ଭିନ୍ନ କରିଥା‌ଏ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ସେହିପରି ଶ୍ରୀ ରାଉତ ସମ୍ମାନିତ ହୋଇଥିବାରୁ ଆନନ୍ଦ ପ୍ରକଟ କରିବା ସହ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ପୁଷ୍ପିତା ମିଶ୍ରଙ୍କ ଉଦ୍ୟମ ଓ ଚେଷ୍ଠା ବଳରେ ଏହି ଆନନ୍ଦ ଉତ୍ସବ ଆଜି ନାଁ କରିଛି। ଯେଉଁଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପୀମାନେ ବିଭିନ୍ନ କଳା ପ୍ରଦର୍ଶନ କରିପାରୁଛନ୍ତି ବୋଲି କହିଥିଲେ। ଏହି ଅବସରରେ ପ୍ରଥମେ ଅନୁଷ୍ଠାନର କୁନି କୁନି ନୃତ୍ୟଶିଳ୍ପୀଙ୍କୁ ନେଇ ସ୍ବାଗତ ନୃତ୍ୟ ପରିବେଷଣ ହୋଇଥିଲା। ଏହାପରେ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଗୁରୁବନ୍ଦନା, ପଲ୍ଲବୀ, ସ୍ଥାୟୀ, ଅଭିନୟ ସହ ଗୀତଗୋବିନ୍ଦ ଆଧାରିତ ମଙ୍ଗଳାଚରଣ ଏବଂ ସମ୍ବଲପୁରୀ ଲୋକନୃତ୍ୟ, ବିହୁ ଜନଜାତି ଓ ରାଜସ୍ଥାନୀ ଲୋକନୃତ୍ୟ ପରିବେଷିତ ହୋଇଥିଲା।

ଆନନ୍ଦ ଉତ୍ସବର ୧୪ତମ ସଂସ୍କରଣର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ପୁଷ୍ପିତା ମିଶ୍ରଙ୍କ ସହ ମାନସ ରଜଂନ ଦାଶ, ତନ୍ଦ୍ରାଳସା ଦାସ ପ୍ରମୁଖ ସଂଯୋଜନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଅଂଶୁମାନ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe