ପୁଣି ରାସ୍ତାକଡ଼କୁ ଫେରି ଯାଉଛନ୍ତି ଆମିଷ ‌ବ୍ୟବସାୟୀ: ଅବ୍ୟବସ୍ଥାରେ ବୁଡ଼ିଛି ମାଛ ମାର୍କେଟ

ପୁଣି ରାସ୍ତାକଡ଼କୁ ଫେରି ଯାଉଛନ୍ତି ଆମିଷ ‌ବ୍ୟବସାୟୀ: ଅବ୍ୟବସ୍ଥାରେ ବୁଡ଼ିଛି ମାଛ ମାର୍କେଟ

ଭୁବନେଶ୍ୱର: ଏହା ଗୋଟିଏ ଅପ୍ରିୟ ସତକଥା ହେଉଛି ଯେ ଆମ ରାଜଧାନୀରେ ଥିବା ଆମିଷ ମାର୍କେଟଗୁଡ଼ିକ ଏଯାଏଁ ସ୍ମାର୍ଟ ହୋଇ ନାହାନ୍ତି। ଗ୍ରାହକ ଯେଉଁଠି ଛିଡ଼ା ହେବେ, ସେଠି ଦୁର୍ଗନ୍ଧ ପାଣି ଭାସୁଥିବ। ମାର୍କେଟ୍‌ ସାରା ମାଛ, କୁକୁଡ଼ା ଓ ଛେଳିରୁ ବାହାରୁଥିବା ଜୈବିକ ଆବର୍ଜନା ପଡ଼ିଥିବ। ମାଛ ବେପାରୀ କେତେବେଳେ ଗଛମୂଳେ ଆବର୍ଜନା ପକାଉଥିବେ ତ କେତେବେଳ କାନ୍ଥକଡ଼ରେ ଗଦା କରିଦେଉଥିବେ। ସେ ଅଞ୍ଚଳରେ ପଶିବା ପାଇଁ ନାକରେ ରୁମାଲ ବାନ୍ଧିବାକୁ ପଡ଼ୁଥିବ। ଆମିଷ ମାର୍କେଟର ଏ ପୁରୁଣା ଚିତ୍ର ଏଯାଏ ବଦଳିନାହିଁ। ୟୁନିଟ୍‌-୮ ସ୍ଥିତ ମାଛ ମାର୍କେଟ ଏହାର ଏକ ଉଦାହରଣ। ଏହି ମାଛ ମାର୍କେଟଟି ଜନବସତିର ମଝିରେ, ତ‌ା’ପୁଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରହିଛି। ଆବର୍ଜନା ଠିକ୍‌ ଭାବେ ପରିଚାଳନା କରା ଯାଉନଥିବାରୁ ଏହାର ଦୁର୍ଗନ୍ଧରେ ସ୍ଥାନୀୟ ଲୋକଙ୍କ ସମେତ ଛାତ୍ରୀମାନେ ନିତିଦିନ ଆକ୍ରାନ୍ତ ହେଉଛନ୍ତି। କେବଳ ଆବର୍ଜନା ଓ ଦୁର୍ଗନ୍ଧ ନୁହେଁ, ୨୦୧୩ ଅଗଷ୍ଟରେ ପ୍ରତିଷ୍ଠା ହୋଇଥିବା ଏହି ମାର୍କେଟରେ ଏଯାଏ ମୌଳିକ ସୁବିଧା ମଧ୍ୟ ମିଳୁନାହିଁ।

ରାସ୍ତାଘାଟରେ କେହି ମାଂସ କାଟିବେନି କି ମାଛ ବିକିବେନି ବୋଲି କରା ଯାଇଥିବା ଯୋଜନାରେ ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଉଠାଇ ଦିଆଯାଇ ଏହି ମାର୍କେଟ ଆରମ୍ଭ କରା ଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ରାସ୍ତାକଡ଼ରେ ମାଛ ଓ ମାଂସ ଅବାଧରେ ବିକ୍ରି ଚାଲିଛି। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ସହର ସୁନ୍ଦର ଦିଶିବ ବୋଲି କହି ଷ୍ଟୁଆର୍ଟ ଛକରୁ ଏଠାକୁ ଉଠାଇ ଆଣିଲେ, ହେଲେ କୌଣସି ସୁବିଧା କରାଯାଇନି। ପୁଣି ଆଖପାଖର ରାସ୍ତାକଡ଼ ଦୋକାନଗୁଡ଼ିକୁ ପୂରା ବନ୍ଦ କରା ନଯିବାରୁ ଲୋକେ ସେଠାରୁ କିଣିଲେ, ମାର୍କେଟର ଦୁର୍ଗନ୍ଧମୟ ପରିବେଶ ଭିତରକୁ ଆସିଲେନି। ଫଳରେ ବେପାର ମଧ୍ୟ ଭଲ ହେଉନି। ତେଣୁ ବହୁ ବେପାରୀ ଇତିମଧ୍ୟରେ ପୁଣି ରାସ୍ତାକଡ଼କୁ ଫେରି ଗଲେଣି, କିଛି ସମ୍‌ ହସ୍ପିଟାଲ, ଗୋପବନ୍ଧୁ ଛକ ଓ ଜୟଦେବବିହାର ଆଦି ସ୍ଥାନକୁ ପଳାଇ ଗଲେଣି। ଏହି ମାର୍କେଟରେ ଉଭୟ ମାଛ ଓ ମାଂସ ବ୍ୟବସାୟୀଙ୍କ ପାଇଁ ୬୫ଟି ପିଣ୍ଡି ରହିଥିଲା। ଏବେ ମାତ୍ର ୩୦ଟିରେ ଦୋକାନ ଖୋଲୁଛି। ଏଠାରେ ବ୍ୟବସାୟୀମାନଙ୍କ ପାଇଁ ଶୌଚାଳୟ ଓ ପାଣି ସୁବିଧା ମଧ୍ୟ ନାହିଁ। ଦୁଇଟି ମଧ୍ୟରୁ ଗୋଟିଏ ଶୌଚାଳୟ ସମୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅନ୍ୟଟି ଭଙ୍ଗାଦଦରା ଅବସ୍ଥାରେ ଚାଲିଛି। ମାର୍କେଟକୁ କେବଳ ସକାଳେ ଓ ଖରାବେଳେ ମାତ୍ର ଘଣ୍ଟାଟେ ପାଇଁ ପାଣି ଆସୁଛି। ଫଳରେ ବ୍ୟବସାୟୀମାନେ ହଇରାଣରେ ପଡ଼ୁଛନ୍ତି। ଏଠାରେ ଥିବା ଏକମାତ୍ର ନଳକୂଅଟି ଅଚଳ ହୋଇ ଯାଇଛି। ତେବେ ଏନେଇ ସ୍ଥାନୀୟ କର୍ପୋରେଟର ସମିତା ମହାନ୍ତି କହିନ୍ତି, ମାର୍କେଟର ଶୌଚାଳୟ ଆଦି ସମସ୍ୟାର ସମାଧାନ ପାଇଁ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର କାମ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe