ଚିନ୍ତା ବଢ଼ାଇଛି ‘ୟାସ୍‌’ ପୁଣି ସପ୍ତାହେ ଜଳବନ୍ଦୀ ହେବେ ତମାଣ୍ଡୋବାସୀ!

ଅସରାଏ ବର୍ଷାରେ ଭାସୁଛି ଅଣ୍ଡରପାସ୍‌, କାଳୀ ବଜାର, ୩ ବର୍ଷ ପରେ ବି ସମାଧାନ ହେଉନି

ଚିନ୍ତା ବଢ଼ାଇଛି ‘ୟାସ୍‌’ ପୁଣି ସପ୍ତାହେ ଜଳବନ୍ଦୀ ହେବେ ତମାଣ୍ଡୋବାସୀ!

ଭୁବନେଶ୍ବର: ସାମାନ୍ୟ ବର୍ଷାରେ ତମା‌ଣ୍ଡୋ ଅଣ୍ଡରପାସ୍‌ ଓ ନିକଟ କାଳୀବଜାର ଉବୁଟୁବୁ ହେଉଛି। ୩ ବର୍ଷ ହେଲା ବର୍ଷା ଦିନେ ଏପରି ସ୍ଥିତି ଉପୁଜିଥିଲେ ହେଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ସମାଧାନ କରୁନାହିଁ। ନିକଟରେ ଯାଇଥିବା କାଳବୈଶାଖୀ ଓ ପର ବର୍ଷାରେ ବଜାର ସମେତ ଅଣ୍ଡରପାସ୍‌ରେ ଅଣ୍ଟାଏ ଉଚ୍ଚର ପାଣି ଜମିଥିଲା। ବର୍ଷା ଛାଡ଼ିବାର ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ମଧ୍ୟ ପାଣି ନିଷ୍କାସନ ହୋଇପାରି ନଥିଲା। ଫଳରେ ସ୍ଥାନୀୟ ଲୋକ ଯିବା ଆସିବା ପାଇଁ ତଥା ବଜାରକୁ ସଉଦା କିଣିବାକୁ ଆସି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବାତ୍ୟା ‘ୟାସ୍‌’ ପ୍ରକୋପରେ ସୋମବାରଠାରୁ ଆରମ୍ଭ ହୋଇଥିବା ଲଗାତାର ବର୍ଷା ଯୋଗୁଁ ପୁଣିଥରେ ଏଠାରେ ପାଣି ଜମିଛି। ତେଣୁ ଆଗକୁ ଆହୁରି ବର୍ଷା ହେଲେ ଅଞ୍ଚଳବାସୀ ସପ୍ତାହରୁ ଊର୍ଧ୍ବ ଜଳବନ୍ଦୀ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଦୀର୍ଘ ଦିନର ଏହି ସମସ୍ୟାର ଶୀଘ୍ର ସମସ୍ୟା କରାନଗଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଣ୍ଡରପାସ୍ ତିଆରି ହେବା ପରେ ଏଠାରେ ବର୍ଷାଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେଇଥିଲା। ତେଣୁ ବଡ଼ ନଳା ସାହାଯ୍ୟରେ ଏହି ବର୍ଷାଜଳକୁ ଖାଲି ଥିବା ଏକ ବେସରକାରୀ ଜମିକୁ ଛଡ଼ା ଯାଉଥିଲା। ମାତ୍ର ଗତ ୩ବର୍ଷ ହେବ ଉକ୍ତ ଜମିର ମାଲିକ ସେଠାରେ ଦୋକାନ ତିଆରି କରିବା ପରେ ତାଙ୍କ ଜମିକୁ ପାଣି ଛାଡ଼ିବାକୁ ବିରୋଧ କରିଥିଲେ। ଏପରିକି ପରବର୍ତ୍ତୀ ସମୟରେ ସେ ଏହି ଘଟଣାକୁ ନେଇ ହାଇକୋର୍ଟର ଆଶ୍ରୟ ନେଲେ। ଏହା ପରେ ପାଣି ନିଷ୍କାସନ ପାଇଁ ଥିବା ନଳାରେ ମାଟି ପକାଇ ତା’ ମୁହଁ ବନ୍ଦ କରି‌ଦେଇଛନ୍ତି, ଯେଉଁଥିପାଇଁ ବର୍ତ୍ତମାନ ଅସରାଏ ବର୍ଷା ହେଲେ, ଅଣ୍ଡରପାସ୍‌ରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛି।

ଏନେଇ ସ୍ଥାନୀୟ ବ୍ୟବସାୟୀ ସଂଘର ବ୍ୟବସାୟୀ ବିଜୟଙ୍କ କହିବାନୁଯାୟୀ, ଏହି ମାର୍କେଟ୍‌ ଉପରେ ସ୍ଥାନୀୟ ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ସବୁ ଦିନ ସେମାନେ ଅଣ୍ଡର୍‌ପାସ୍ ଦେଇ ଯିବା ଆସିବା କରନ୍ତି। ସେମାନଙ୍କ ପାଖେ ଅନ୍ୟ କୌଣସି ବିକଳ୍ପ ରାସ୍ତା ମଧ୍ୟ ନାହିଁ। ତେଣୁ ବର୍ଷା ଛାଡ଼ିବାର ସପ୍ତାହେ ପରେ ମଧ୍ୟ ଲୋକ ହନ୍ତସନ୍ତ ହୋଇଥା’ନ୍ତି। ବର୍ତ୍ତମାନ ବାତ୍ୟା ୟାସ୍‌ ଯୋଗୁଁ ପୁଣି ଥରେ ପାଣି ଜମିବା ଆରମ୍ଭ ହୋଇଛି। ଫଳରେ ପୂରା ବଜାରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଏନ୍‌ଏଚ୍‌ଆଇ ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ହୋଇଛି। ସମାଧାନ ପାଇଁ ଚେଷ୍ଟା ଜାରି ରଖିଛୁ। ତମାଣ୍ଡୋ ଅଣ୍ଡରପାସ୍‌ ନିକଟସ୍ଥ ରାସ୍ତାରେ ପାଣି ନିଷ୍କାସନ ପାଇଁ ଡ୍ରେନ୍ କାମ ଚାଲିଛି। ତମାଣ୍ଡୋ ସମେତ ଏନ୍‌ଏଚ୍‌ଆଇ ଦ୍ବାରା ତିଆରି ହେବାକୁ ଡ୍ରେନ୍‌ର କାମ ଶେଷ କରିବା ସହ ସଫା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe