ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର କାର୍ଯ୍ୟକାରିଣୀ

Advertisment
ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଶନିବାର ଭୁବନେଶ୍ବରରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରୁ ପ୍ରାୟ ୨୫୦ କର୍ମକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଓ ସହା‌ୟିକାମାନଙ୍କ ସେବା ମହିଳା ଓ ଶିଶୁମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଥିବା ସେ କହିଥିଲେ।

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରୀଷ୍ମକାଳୀନ ଛୁଟି ସମ୍ପର୍କରେ ଉଲ୍ଲେଖ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ। କଟକ ମେୟର ସୁବାସ ସିଂହ ସଙ୍ଗଠନକୁ ବ୍ଲକ୍‌ ସ୍ତରରେ ସୁଦୃଢ଼ କରିବା ସହ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଥିଲେ। ଦରମା, ପାରିଶ୍ରମିକ ବୃଦ୍ଧି, ପଦୋନ୍ନତି ଉପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଆଲୋଚନା ଜାରି ରଖିଥିବା ବେଳେ ସରକାର ଖୁବ୍‌ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।

ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବା ପଛରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଥିଲେ। ସମ୍ପାଦିକା ମଞ୍ଜୁଲତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମୀମାନେ ସଂଗଠନର ସମସ୍ୟା ସମ୍ପର୍କରେ କହିଥିଲେ। ଗତ ୨୩ ତାରିଖ ଦିନ ୫ଜଣିଆ କର୍ମକର୍ତ୍ତା ଦଳ ମହିଳା ଓ ଶିଶୁ କଲ୍ୟାଣ ବିଭ‌ାଗର କମିସନର ଭାସ୍କରଜ୍ୟୋତି ଶର୍ମାଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ଉପ‌ରେ ଆଲୋଚନା ହୋଇଥିଲା। ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ପାଦକ ରାଜୀବ ମହାନ୍ତି, ଅଙ୍ଗନବାଡ଼ି ସାମ୍ମୁଖ୍ୟ କୋଷାଧ୍ୟକ୍ଷ ସୁଶ୍ରୀ ସଙ୍ଗୀତା ମହାପାତ୍ର, ଉପସଭାନେତ୍ରୀ ରଶ୍ମିବାଳା ମହାନ୍ତି, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe