ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ ଉଦ୍‌ଘାଟିତ, ଭାରତ ସମେତ ୭ ଦେଶରେ ପାଳନ ହେବ ଉତ୍ସବ

Advertisment
ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ ଉଦ୍‌ଘାଟିତ, ଭାରତ ସମେତ ୭ ଦେଶରେ ପାଳନ ହେବ ଉତ୍ସବ

ଭୁବନେଶ୍ୱର: ସ୍ୱାଭିମାନ ପକ୍ଷରୁ ୨୧ତମ ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ ୨୦୨୨ ଆଜି ହୋଟେଲ ନ୍ୟୁ-ମାରିଅନ୍‌ରେ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଯୋଗଦେଇ ଉତ୍ସବର ମାସ୍କଟ୍ ଜନିକୁ ଉନ୍ମୋଚନ କରିଥିଲେ। ଡିସେମ୍ବର ୧୪ ପର୍ଯ୍ୟନ୍ତ ଏକ ମାସ ଧରି ବିଶ୍ୱବ୍ୟାପୀ ଏହି ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଓ ଯୁବ ଉତ୍ସବ-୨୦୨୨ ପାଳନ କରାଯିବ। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁ ଓ ଯୁବ ପ୍ରତିଭାଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ମଣ୍ଡପରେ ବିଶାଳ କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଣ୍ଣିଭାଲ୍ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଡ଼ ଗ୍ୟାଲେରିରେ ସାରା ବିଶ୍ୱରେ ପାଳିତ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ସେଠାର ଶିଶୁ ପ୍ରତିଭାମାନେ ଲାଇଭ୍ ଆସି ନିଜ ମତବ୍ୟକ୍ତ କରିବେ। ଏ ସମ୍ପର୍କରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱାଭିମାନର ମୁଖ୍ୟ ଡ. ଶ୍ରୁତି ମହାପାତ୍ର। ଆଜି ଭୁବନେଶ୍ୱରରେ ମାସ୍କଟ୍ ଉନ୍ମୋଚନ ସହ କଶ୍ମୀର, ମଧ୍ୟପ୍ରଦେଶ ଓ ଆମେରିକାରେ ମଧ୍ୟ ଏହି ଉତ୍ସବର ଶୁଭାରମ୍ଭ ହୋଇଛି।

ଏହି ଅବସରରେ ଶ୍ରୁତି ମହାପାତ୍ର କହିଛନ୍ତି, ଚଳିତ ବର୍ଷ ସ୍ୱାଭିମାନ ପକ୍ଷରୁ ଭାରତର ଏକ ଅଭିଯାନ ଭାବେ ଏହି ଉତ୍ସବକୁ ଆରମ୍ଭ କରାଯାଇଛି। ନଭେମ୍ବର ମାସକୁ ‘ଜାତୀୟ ଶିଶୁ ସଚେତନତା ମାସ-ସମସ୍ତ ପିଲାଙ୍କୁ ସାମିଲ କରିବା’ ଭାବରେ ପାଳନ କରାଯାଉଛି। ୨୦ ବର୍ଷ ପୂର୍ବେ ୭୭ଜଣ ପିଲାଙ୍କ ସହ ଭୁବନେଶ୍ୱରରୁ କାମ ଆରମ୍ଭ କରିଥିବା ଅନୁଷ୍ଠାନ ସମସ୍ତ ୩୦ଟି ଜିଲ୍ଲା, ୨୭ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଶ୍ୱର ୧୫ଟି ଦେଶକୁ ସମ୍ପ୍ରସାରିତ ହୋଇଛି। ସମନ୍ୱିତ ଓ ଆନନ୍ଦଦାୟକ ଶିକ୍ଷା କ୍ଷେତ୍ରରେ ୨୦ ବର୍ଷର ଏହି ଯାତ୍ରାକୁ ସାରା ବିଶ୍ୱରେ ୩୦ ଦିନ ପାଇଁ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି।

ଚଳିତଥର ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଭୁଟାନ, ଦକ୍ଷିଣ ଆଫ୍ରିକା, କେନିଆ, ନାଇଜେରିଆ ଓ ବାଂଲାଦେଶ ସହିତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା କଶ୍ମୀର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ସିକିମ୍‌, ତ୍ରିପୁରା, ଆସାମ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୋଆ ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକ୍ରମ ହେବ। ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ସ୍କୁଲ, ୧୦ଟି ଅନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ଉତ୍ସବ ଆୟୋଜିତ ସାଙ୍ଗକୁ ୧୦୦ ଜଣ ସେଲିବ୍ରିଟି ସାମିଲ ହେବେ। ଏହା ହେଉଛି ଦେଶର ପ୍ରଥମ ଓ ଏକମାତ୍ର ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ, ଯାହା ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କର ଦକ୍ଷତାକୁ ପ୍ରଦର୍ଶିତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଉଛି। ମାସ୍କଟ୍ ଉନ୍ମୋଚନ ଉତ୍ସବରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ୫ ଜଣ ଦିବ୍ୟାଙ୍ଗ ପ୍ରତିଭା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe