ଭୁବନେଶ୍ବର: ମରଣାନ୍ତକ ଆକ୍ରମଣ ମାମଲାରେ ଖାରବେଳନଗର ଥାନା ପୁଲିସ ୧୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଶ୍ରୀକାନ୍ତ ବେହେରା ଓରଫ୍ ଲିପୁ(୨୩)। ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ରମାକାନ୍ତ ମହାରଣାଙ୍କର ୟୁନିଟ୍-୪ ମାର୍କେଟରେ ଅଳଙ୍କାର ବ୍ୟବସାୟ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଭାଗିରଥୀର ସ୍ତ୍ରୀଙ୍କର ୟୁନିଟ୍-୩ ଖାରବେଳନଗର ଠାରେ ମଧ୍ୟ ଏକ ବିୟୁଟି ପାର୍ଲର ଥିଲା । ବ୍ୟବସାୟ ସମୟରେ ରମାକାନ୍ତ ଓ ଭାଗିରଥୀଙ୍କ ସ୍ତ୍ରୀ ମଧ୍ୟରେ ବନ୍ଧୁତ୍ୱ ଗଢିଉଠିଥିଲା। ଭାଗିରଥୀ ଏ ନେଇ ରମାକାନ୍ତ ଓ ନିଜ ସ୍ତ୍ରୀଙ୍କୁ ତାଗିଦ କରିଥିଲା। ପରେ ରମାକାନ୍ତ ଏହି ପ୍ରସଙ୍ଗରେ ଭାଗୀରଥୀକୁ ଡାକି ଧମକ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଭାଗିରଥୀ, ରମାକାନ୍ତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଜ ପଡୋଶୀ ଗାଁର ଅଭ୍ୟାସଗତ ଅପରାଧୀ ଜିତେନ୍ଦ୍ର ପଲେଇ ସହ ଯୋଗାଯୋଗ କରିଥିଲା ।
୨୦୨୨ ମେ’ ୨୦ ତାରିଖ ରାତି ୯ଟାରେ ଜିତେନ୍ଦ୍ର ପଲେଇ ଓ ଜଗସିଂହପୁରର ଜଣେ ସହଯୋଗୀ ଲିପୁନ୍ ସହିତ ଏମବିଏସ ପବ୍ଲିକ ସ୍କୁଲ ନିକଟରେ ରମାକାନ୍ତଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ସେହି ଆକ୍ରମଣରେ ରମାକାନ୍ତ ଗୁରୁତର ଆହତ ହୋଇ ବର୍ତ୍ତି ଯାଇଥିଲେ। କିଛିଦିନ ପରେ ରମାକାନ୍ତ ପୁନର୍ବାର ଭାଗିରଥୀଙ୍କ ସ୍ତ୍ରୀଙ୍କ ସହିତ ପୂର୍ବପରି ଯୋଗଯୋଗ ଜାରି ରଖିଥିଲେ । ଏଥିରେ ଭାଗିରଥୀ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ରମାକାନ୍ତଙ୍କୁ ହତ୍ୟା କରିବାକୁ ଶେଷ ନିଷ୍ପତ୍ତି ନେଇଥିଲା। ତେଣୁ ସେ ନିଜ ଡ୍ରାଇଭର ଦୁଃଖୀଶ୍ୟାମ ଜରିଆରେ ପୁନର୍ବାର ଅପରାଧୀ ଜିତେନ୍ଦ୍ର ପଲେଇ ସହ ଯୋଗାଯୋଗ କରି ତା’କୁ ଏହି ବିଷୟରେ କହିଥିଲା। ୨୦୨୩ ମାର୍ଚ୍ଚ ୧୭ ତାରିଖରେ ଯୋଜନା ଅନୁଯାୟୀ ଜିତେନ୍ଦ୍ର ଓ କେନ୍ଦ୍ରାପଡାର ସହଯୋଗୀ ଗୁଡୁ ଭୁବନେଶ୍ୱରକୁ ଆସିଥିଲେ। ଦୁଃଖୀଶ୍ୟାମ ଦୋକାନରେ ରମାକାନ୍ତଙ୍କ ଉପସ୍ଥିତି ନେଇ ଜିତେନ୍ଦ୍ରକୁ ସୂଚନା ଦେଇଥିଲା। ଜିତେନ୍ଦ୍ର ଓ ଗୁଡୁ ଶ୍ରୀ ଅଳଙ୍କାର ଦୋକାନ ନିକଟକୁ ଯାଇ ରମାକାନ୍ତଙ୍କ ଉପରେ ବୋମା ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଆକ୍ରମଣରେ ରମାକାନ୍ତଙ୍କର ଦୁଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପୂର୍ବରୁ ୨ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଖାରବେଳନଗର ଥାନା ପୁଲିସ ଅନ୍ୟ ଜଣେ ଅଭିଯୁକ୍ତ ଲିପୁକୁ କାବୁ କରିବାରେ ସକ୍ଷମ ହୋଇଛି। ପଚରାଉଚରା ସମୟରେ ଲିପୁ ନିଜ ଦୋଷ ସ୍ୱୀକାର କରିଛି। ଲିପୁ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୫ଟି ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।
Follow Us