ଭୁବନେଶ୍ବର: ଆଜି କାଲିର ଯୁବପିଢ଼ୀଙ୍କ ସମେତ ସବୁ ବର୍ଗର ଲୋକମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ। ଜଣେ ଲୋକ ହାରାହାରି ୨-୩ ଘଣ୍ଟା ବିଭିନ୍ନ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଜଣଙ୍କୁ ସହଜରେ ପ୍ରଲୋଭିତ ମଧ୍ୟ କରାଯାଇପାରୁଛି। ଏବେ ସୋସିଆଲ ମିଡିଆରେ ଦେହବେପାର ଓ ଦେହବେପାର ନାମରେ ଠକେଇ ବୃଦ୍ଧି ପାଉଛି। ଏପରିକି ଅଧିକ ପ୍ରଚାର ବଢ଼ାଇବା ପାଇଁ ଦଲାଲ ବା ଠକମାନେ ବିଭିନ୍ନ ସୋସିଆଲ ମିଡିଆ ବିଜ୍ଞାପନ ମଧ୍ୟ ଦେଉଥିବା ଜଣାପଡ଼ିଛି।
ବିକାଶ(ଛଦ୍ମନାମ) ଜଣେ ବ୍ୟକ୍ତି ଭୁବନେଶ୍ବରରେ ଚାକିରି କରନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍କୁ ଭୁବନେଶ୍ବର ଡ୍ରିମ୍୦୯ ନାମରେ ଏକ ଆକାଉଣ୍ଟରୁ ସୁନ୍ଦରୀ ତରୁଣୀଙ୍କ ଫଟୋ ସହିତ ଭୁବନେଶ୍ବର ଇନ୍ ସର୍ଭିସ୍ ଓ ‘ବୁକ୍ ନାଓ’ ବୋଲି ମଧ୍ୟ ଏକ ଲିଙ୍କ ଆସିଥିଲା। ବିକାଶ ବୁକ୍ ନାଓ’ ଜରିଆରେ ବୁକ୍ କରିବାକୁ ଚେଷ୍ଟା କରିବାରୁ ଏକ ଟେଲିଗ୍ରାମ ଆଇଡି ଖୋଲିଥିଲା। ଟେଲିଗ୍ରାମ ଆଇଡିର ନାମ ଥିଲା ଦିବ୍ୟା ଶର୍ମା। ଏହି ଆଇଡିରୁ ସେ ପ୍ରଥମେ ଚାଟ୍ ଆରମ୍ଭ କରିଥିଲେ। ଚାଟରୁ ଭୁବନେଶ୍ବର ମଧ୍ୟରେ ବିଭିନ୍ନ ସୁନ୍ଦରୀ ଝିଅଙ୍କ ଫଟୋ ପଠାଇବା ସହିତ ବିଭିନ୍ନ ରେଟ୍ ଚାର୍ଟ ମଧ୍ୟ ପଠାଇଥିଲେ। ପରେ ବିକାଶ ଏକ ଝିଅକୁ ବୁକ୍ କରିଥିଲେ। ଏଥିପାଇଁ ପ୍ରଥମେ ଟଙ୍କା ଦେବାକୁ କୁହାଯାଇଥିଲା।
ସେମାନଙ୍କ କହିବା ଅନୁସାରେ ସେ ପ୍ରଥମେ ୪୦୦୦ ଟଙ୍କା ଏକ ସ୍କାନର୍ ଜରିଆରେ ପଠାଇଥିଲେ। ପରେ ତାଙ୍କୁ ଏକ ନୂଆପଲ୍ଲୀର ଏକ ହୋଟେଲ ଠିକଣା ଦିଆଯାଇଥିଲା। ଏପରିକି ରୁମ ନଂ ଓ ସମୟ ମଧ୍ୟ ଦିଆଯାଇଥିଲା। ଠିକଣା ଅନୁସାରେ ସେ ସେଠାରେ ପହଞ୍ଚିଥିଲେ। କିନ୍ତୁ ହୋଟେଲ ପହଞ୍ଚି ସେହି ରୁମରେ ପହଞ୍ଚିବା ବେଳକୁ ସେଠାରେ କେହି ନଥିଲେ। ପରେ ଯୋଗାଯୋଗ କରିବାରୁ ତାଙ୍କୁ ବ୍ଲକ୍ କରି ଦିଆଯାଇଥିଲା। ହୋଟେଲ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ତାଙ୍କ ହୋଟେଲରେ ଏଭଳି ନାମରେ କେହି ନଥିବା ଜଣାଇବା ସହିତ ଫଟୋରେ ଥିବା ଝିଅ ଏହି ହୋଟେଲକୁ ଆସି ନଥିବା ଜଣାଇଥିଲେ। ଏହା ଜାଣିବା ପରେ ତାଙ୍କ ସହ ଠକେଇ ହୋଇଥିବା ଜାଣି କାନ ମୁଣ୍ଡ ଆଉଁସି ଫେରି ଥିଲେ। ସେ ଲୋକ ଲଜ୍ୟାରେ ଏନେଇ ଥାନାରେ ମଧ୍ୟ ଅଭିଯୋଗ କରି ନାହାନ୍ତି। ଆଗକୁ ନୂଆବର୍ଷ ଥିବାରୁ ଏଭଳି ଠକେଇ ରାଜଧାନୀରେ ବଢ଼ିବାରେ ଲାଗିଛି। ରେଭ୍ ପାର୍ଟି ନାମରେ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଚାରପ୍ରସାର ଚାଲିଛି।
ଲୋକମାନେ ଦୁର୍ବଳତାର ଫାଇଦା ଉଠାଇ ଆଗୁଆ ବୁକିଂ ନାମରେ ହଜାର ହଜାର ଟଙ୍କା ଠକେଇ କରୁଛନ୍ତି। କେବଳ ଭୁବନେଶ୍ବର ନୁହେଁ କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର ଭଳି ସହରରେ ଏହି ସର୍ଭିସ ଯୋଗାଇଦିଆଯାଉଥିବା ପ୍ରଚାର ପ୍ରସାର କରାଯାଉଛି। ଏନେଇ ବିଭିନ୍ନ ସାମାଜିକ ଗଈମାଧ୍ୟମରେ ମାଳ ମାଳ ଆକାଉଣ୍ଟ ଖୋଲାଯାଇଛି। ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି ଯେ ଏଭଳି ଠକେଇ ବଢ଼ିବାରେ ଲାଗିଛି। ଏଭଳି ବିଜ୍ଞାପନ କେତେ ସତ, କେତେ ମିଛ ତାହା କହିବା ଅସମ୍ଭବ। କିନ୍ତୁ ସ୍କାମର୍ମାନେ ବୁକିଂ ପାଇଁ ଟଙ୍କା ମାଗି ପରେ ବ୍ଲକ୍ କରିଦେଉଛନ୍ତି। ସେମାନେ ଏତେ ସତର୍କତାର ସହ ଏଥିରେ ଲିପ୍ତ ଯେ ପୁଲିସ ଦଲାଲଙ୍କ ପାଖରେ ପହଞ୍ଚି ପାରୁନାହିଁ।
Follow Us