ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ : ଅଁଳୋ ସରପଞ୍ଚ ନିଲମ୍ବିତ

Advertisment
ପଞ୍ଚାୟତିରାଜ ବିଭାଗରେ ମାସକରେ ଗଡ଼ିଲା ୧୦ ମୁଣ୍ଡ

Rising Kashmir

ଭୁବନେଶ୍ବର : କଟକ ଜିଲ୍ଲା ନିଆଳି ବ୍ଲକ୍‌ର ଅଁଳୋ ସରପଞ୍ଚ ସ୍ନିଗ୍‌ଧା ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ ହୋଇଥିଲା। ଏନେଇ ଲୋକାୟୁକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ। ସେହି ଭିତ୍ତିରେ ଚଳିତ ମାସ ୨୭ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅଧୀନ ଅଁଳୋ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ ସ୍ଥାନୀୟ ପଞ୍ଚାୟତର କାଳିଆଘାଇ ହାଟ ନିଲାମ ବାବଦ ପ୍ରାୟ ୨ଲକ୍ଷ ଟଙ୍କା ସରପଞ୍ଚ ଶ୍ରୀମତୀ ମହାନ୍ତି ଚଞ୍ଚକତା କରି ପଞ୍ଚାୟତ ଖାତାରେ ଜମା ନ କରି ନିଜ ପାଖରେ ରଖିଥିଲେ। ଗ୍ରାମବାସୀମାନେ ଏ ନେଇ ଅଭିଯୋଗ କରିବାରୁ ଉପଜିଲ୍ଲାପାଳ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଟଙ୍କା ଆଦାୟ ସହ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସେହିପରି ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷରେ ପଞ୍ଚାୟତ ଉପର ମହଲା ପଲସ୍ତରା କାମ ଓ ଗୋଦାମ ଗୃହ ମରାମତି କାମ ବାବଦରେ ମଧ୍ୟ ମିଥ୍ୟା ବିଲ୍‌ କରି ୫ ଲକ୍ଷ ଟଙ୍କା ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଏକାଧିକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଥିଲା। ଲୋକାୟୁକ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ଗତ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହା ଉପରେ ତଦନ୍ତ କରିବା ସହିତ ଓଡ଼ିଶା ପଞ୍ଚାୟତ ଆଇନ ୧୯୬୪ ଧାରା ୧୧୫ ଅନୁଯାୟୀ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତିରାଜ ନିର୍ଦେଶକଙ୍କୁ ସୁପାରିସ କରିବା ସହ ଲୋକାୟୁକ୍ତଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe