The New Indian Express
ପୁରୁଣା ଭୁବନେଶ୍ବର: କୁଆଖାଇ ଓ କୁଶଭଦ୍ରା ନଦୀରୁ ହେଉଥିବା ବେଆଇନ ବାଲି ଉଠାଣରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ଶାସକ ଦଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ବେଆଇନ କାମରେ ସିଧାସଳଖ ସମ୍ପୃକ୍ତ ଥିବାରୁ ଜିଲ୍ଲା ପ୍ରଶାସନ ସବୁ ଦେଖି ନିରବ ରହୁଛି ଓ ଏହି ବେଆଇନ କାମରୁ ପ୍ରୋତ୍ସାହନ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୁଆଖାଇ ଓ କୁଶଭଦ୍ରା ନଦୀରେ ବାଲିଘାଟ ନିଲାମ ହେଉଥିଲେ ବି ବହୁ ନିୟମକୁ ଉଲ୍ଲଘଂନ କରି ବାଲି ଉଠାଣ ହେଉଛି। ବାଲି ଉଠାଣ ପାଇଁ ବିଭିନ୍ନ ଅତ୍ୟାଧୁନିକ ମେସିନ୍ ବ୍ୟବହାର କରାଯାଉଛି। ସୂର୍ଯ୍ୟାସ୍ତ ପରେ ବାଲି ଖନନ ଚାଲିଛି। ନଦୀପଠାରୁ ଓ ବ୍ରିଜ୍ ପିଲାର୍ଠାରୁ ଧାର୍ଯ୍ୟ ଦୂରରୁ କମ୍ ଦୂରରୁ ବାଲି ଖନନ ଚାଲିଛି। ଦୈନିକ ଶହଶହ ଟ୍ରକ୍ ଓ ହାଇୱାରେ ବାଲି ଚାଲାଣ କରାଯାଉଛି। ଏସବୁ ନିଲାମ ନିୟମରେ ନାହିଁ। କିନ୍ତୁ ପ୍ରଶାସନ ଆଖିରେ ଏସବୁ ପଡ଼ୁଥିଲେ ବି ସମସ୍ତେ ନିରବ। ଶାସକ ଦଳର ଉକ୍ତ ପ୍ରଭାବଶାଳୀ ନେତା ଓ ପ୍ରଶାସନିକ ଅଧିକାରୀମାନେ ଲିଜ୍ଧାରୀଙ୍କ ଫାର୍ମ ହାଉସକୁ ଯାଆନ୍ତି। ତେଣୁ ଏହାକୁ ନେଇ ଦୁଇ ଦୁଇ ଥର ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ସେହିଭଳି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବାରମ୍ବାର ଅଭିଯୋଗ କରୁଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଯଦି ବାଲି ଉଠାଣ ଏଭଳି ଜାରି ରହେ ତେବେ ଟଙ୍କପାଣି ବ୍ରିଜ୍ ଭୁଶୁଡ଼ିଯିବାର ଆଶଙ୍କା ରହିଛି। ବେଆଇନ ବାଲି ଉଠାଣ ବନ୍ଦ ନହେଲେ, ଜନଅସନ୍ତୋଷ ବଢ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୩ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଲିଙ୍ଗରାଜ ଷ୍ଟେସନରୋଡ୍ର ନବୀକରଣ ପାଇଁ ୨ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଓ ଟେଣ୍ଡର ସରିଛି। ଏନେଇ ସେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି ସେ କହିଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ହେବାକୁ ଥିବା ୭୫ ଅମୃତ ସରୋବର ମଧ୍ୟରୁ ଏଯାବତ ୬ଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ବାକିତକ ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
Follow Us