ଶେଷ ଦିନରେ ପ୍ରଚାର କଲେ ଅପରାଜିତା

ମଧ୍ୟ, ଏକାମ୍ରରେ ପଦଯାତ୍ରା, ଖାରବେଳ ବି ସାମିଲ ହେଲେ

ଶେଷ ଦିନରେ ପ୍ରଚାର କଲେ ଅପରାଜିତା

ଭୁବନେଶ୍ବର: ଗୋଟିଏ ଦିନ ବ୍ୟବଧାନ ପରେ ବିଜେପି ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଗତକାଲି ପ୍ରଚାର ମଇଦାନରୁ ହଠାତ୍‌ ଉଭାନ ହୋଇଯାଇଥିବା ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ନେଇ ବିଜେପି ମହଲରେ କମ୍ପନ ସୃଷ୍ଟି ହୋଇଥିଲା। ପ୍ରଚାରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଭୁବନେଶ୍ବରରେ ବିଜେପିର ମଙ୍ଗ ଧରିଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅନ୍ତର୍ଧାନକୁ କର୍ମୀମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ଅସନ୍ତୋଷ ପ୍ରକାଶ କରିଥିଲେ। କାହା ଅଧୀନରେ ବାକି ୮ ଘଣ୍ଟା ପ୍ରଚାର କରିବେ ସେନେଇ ଦ୍ବନ୍ଦ୍ବରେ ଥିଲେ।

ତେବେ ମଙ୍ଗଳବାର ସକାଳୁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ କର୍ମୀଙ୍କ ମଧ୍ୟରେ ସଞ୍ଜିବନୀ ଭରିଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ଶେଷ ଦିନରେ ଏକାମ୍ର ଓ ମଧ୍ୟ ଭୁବନେଶ୍ବରରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଲାଗି ମାରାଥନ ପ୍ରଚାର କରିଥିଲେ। ଗଳିକନ୍ଦିରେ ପଦଯାତ୍ରା କରି ଦଳୀୟ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ୍‌ ଓ କର୍ପୋରେଟର ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଥିଲେ। ଏକାମ୍ର ଭୁବନେଶ୍ବରରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଓ ମଧ୍ୟ ଭୁବନେଶ୍ବରରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗ ଧରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ବିଶେଷକରି ବସ୍ତି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି ବିଜେପି ନେତୃବୃନ୍ଦ ଲାଗି ପଡ଼ିଥିଲେ। ଶେଷ ଦିନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ରାଜ୍ୟ ସରକାରଙ୍କୁ ଖାରବେଳ ସିଧାସଳଖ ଟାର୍ଗେଟ୍‌ କରିଥିଲେ। ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ।

ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ୍‌ ଆଜି ବି ୨୨ଟି ସଂକଳ୍ପ ନେଇ ଲୋଙ୍କ ନିକଟରେ ପହଞ୍ଚିଥିଲେ। ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବା, ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ଉଠାଦୋକାନୀଙ୍କୁ ଥଇଥାନ, ପରିବା ଓ ମାଛ ହାଟକୁ ସୁବ୍ୟବସ୍ଥିତ, ପାର୍କଗୁଡ଼ିକର ଉନ୍ନତିକରଣ ଓ ନୂତନ ପାର୍କ ନିର୍ମାଣ, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସକ୍ରିୟ କରିବା, ଭୁବନେଶ୍ବରକୁ ଦେଶର ଏକ ନମ୍ୱର୍ ସ୍ୱଚ୍ଛ ସହରରେ ପରିଣତ କରିବା, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି। ବିଜେପି କର୍ପୋରେଟର ପ୍ରାର୍ଥୀମାନେ ବସ୍ତିମୁକ୍ତ ଭୁବନେଶ୍ବର ସ୍ଲୋଗାନ ଦେଇ ଭୋଟ୍‌ ଭିକ୍ଷା କରିଛନ୍ତି।

କଂଗ୍ରେସର ପ୍ରଚାରରେ ସୁର

publive-image

ଭୁବନେଶ୍ବର: କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଶେଷ ଦିନରେ ପ୍ରଚାର କରିଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପନ୍ଥା ଆପଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବି ପ୍ରଚାର କରାଯାଇଛି। ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି ମୁଁ ରାଜଧାନୀ ମାଟିର ଝିଅ। ରାଜଧାନୀର ହକ୍‌ ପାଇଁ ଲଢେ଼ଇ କରିବି। ସହରକୁୁ ଦୁର୍ନୀତି ମୁକ୍ତ କରି ନୂତନ ଭୁବନେଶ୍ୱର ଗଢିବି। ଏ ଲଢେଇ କେବଳ ମୋର ନୁହେଁ, ଏ ଲଢେଇ ଭୁବନେଶ୍ୱର ଅଧିକାରର। ମୁଁ ନିମିତ୍ତ ମାତ୍ର। ଏକ ଗୈାରବମୟ ଅତୀତ। ଏକ ଦିଶାହୀନ ବର୍ତ୍ତମାନ। ସମୟ ଆସିଛି ତିଆରି କରିବା ଭୁବନେଶ୍ୱରର ପ୍ରଗତିଶୀଳ ଭବିଷ୍ୟତ। କଂଗ୍ରେସ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ୱାର୍ଡର ବିକାଶ ପାଇଁ ଆଜି ପ୍ରଚାର କରିଛନ୍ତି। ଭୋଟରଙ୍କ ନିକଟତର ହେବା ଲାଗି ଗଳିକନ୍ଦି, ବସ୍ତି ଅଞ୍ଚଳ ବୁଲିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟ କିଛି ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିବା ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe