Advertisment

ଲିଙ୍ଗରାଜ ମନ୍ଦିରକୁ ଅପରାଜିତାଙ୍କ ପଦଯାତ୍ରା: ବିଜେଡି ପ୍ରାର୍ଥୀ ଚୟନରେ ମହିଳାଙ୍କୁ ଅସମ୍ମାନ ଅଭିଯୋଗ

Advertisment
ଲିଙ୍ଗରାଜ ମନ୍ଦିରକୁ ଅପରାଜିତାଙ୍କ ପଦଯାତ୍ରା: ବିଜେଡି ପ୍ରାର୍ଥୀ ଚୟନରେ ମହିଳାଙ୍କୁ ଅସମ୍ମାନ ଅଭିଯୋଗ

ଭୁବନେଶ୍ବର: ପୁନର୍ବାର ବିଜେପି ପ୍ରାର୍ଥୀ ହେଲା ପରେ ଆଜି ଅପରାଜିତା ଷଡ଼ଙ୍ଗୀ ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନରେ ସେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ତାଙ୍କ ସମର୍ଥକମାନେ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ପଦଯାତ୍ରାରେ ଯାଇ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସେ ବିଜେଡିକୁ ଟାର୍ଗେଟ୍‌ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ବିଜେପିକୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ଗଣମାଧ୍ୟମକୁ ‌ଅପରାଜିତା କହିଥିଲେ, ବିଜେପି କେବଳ ମୋତେ ଟିକେଟ୍‌ ଦେଇନାହିଁ। ଏ ଟିକେଟ୍‌ ଭୁବନେଶ୍ବରବାସୀଙ୍କ ଟିକେଟ୍‌। ଭୁବନେଶ୍ବର ଓ ଗାଁରେ ରହୁଥିବା ପ୍ରତ୍ୟେକ ଭାଇଭଉଣୀଙ୍କର ଟିକେଟ। ସେମାନେ ଏଥର ମୋ ପାଇଁ ନିର୍ବାଚନ ଲଢ଼ିବେ। ବିକଶିତ ଭାରତ ଗଢ଼ିବାରେ ପ୍ରଧାନମନ୍ତ୍ରୀ ମୋଦିଜୀ ଉଦ୍ୟମ କରୁଛନ୍ତି। ଯଦି ତୃତୀୟ ଥର ପାଇଁ ମୋଦୀଜୀଙ୍କୁ ପ୍ରଧାନମନ୍ତ୍ରୀ କରିବାର ଅଛି ତେବେ, ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ବିଜୟୀ କରିବାର ଅଛି। ବିକାଶର କୌଣସି ଦଳ ନଥାଏ। ଗତ ୫ ବର୍ଷରେ ସମସ୍ତ ବର୍ଗଙ୍କ ପାଇଁ ମୁଁ କାମ କରିଛନ୍ତି। ଲୋକସେବା, ଲୋକନୀତି ଓ ବିକାଶ ଏହି ୩ଟି ଏଜେଣ୍ଡାକୁ ନେଇ କାମ କରିଛି ଓ ଆଗାମୀ ଦିନରେ ଆହୁରି ଅଧିକ ଉତ୍ସାହର ସହ କାମ କରିବି। ପୂର୍ବ ଭାରତର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ରୂପେ ଗଢିତୋଳିବା ପାଇଁ ପ୍ରୟାସ କରିବି।

ବିଜେଡିକୁ ଆକ୍ଷେପ କରିବାକୁ ଭୁଲି ନଥିଲେ ସାଂସଦ। ସେ କହିଥିଲେ, ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ପକ୍ଷରୁ ଜଣେ ମହିଳାଙ୍କୁ ଉପସ୍ଥାପନ କରାଯାଉଥିବା ବେଳେ ଶେଷ ସମୟରେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଟିକେଟ ଦିଆଗଲା। ଏହା ବିଜେଡିର ମହିଳାଙ୍କ ପ୍ରତି ଘୋର ଅପମାନ। ପ୍ରସିଦ୍ଧ ଚଳଚ୍ଚିତ୍ର ‘ଶୋଲେ’ର ଗବର ସିଂଙ୍କ ଡାଏଲଗ ‘ଯୋ ଡରଗୟା ୱ ମର୍‌ଗୟା’ ଉକ୍ତିକୁ ଦୋହରାଇ ବିଜେଡିକୁ ବିଦ୍ରୁପ କରିଛନ୍ତି ଅପରାଜିତା। ସେପହିପରି ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ମତ ରଖି ସେ କହିଛନ୍ତି, ମୁଁ ସେବାୟତ ବନ୍ଧୁମାନଙ୍କର ବହୁତ ଆଶୀର୍ବାଦ ପାଇଛି। କିଏ କ’ଣ କହିଛନ୍ତି ମୁଁ ଜାଣି ନାହିଁ। ମୋର କାର୍ଯ୍ୟାଳୟ ଏଇଠୁ ୫୦୦ ମିଟର ଦୂରରେ। ମୁଁ ଆମନ୍ତ୍ରିତ କରୁଛି, ଯାହାକୁ ଯାହା କହିବାକୁ ଅଛି ଲିଖିତ ଆବେଦନ କରନ୍ତୁ। ନିଶ୍ଚିତ ଭାବରେ ସମୀକ୍ଷା କରାଯିବ। ସେବାୟତମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେଉ, ଲିଙ୍ଗରାଜ ମନ୍ଦିର ବହୁତ ସୁନ୍ଦର ହେଉ। ଏଦିଗରେ ଯାହା କରିବାର ଅଛି ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଏହି ଶୋଭାଯାତ୍ରାରେ ବିଜେପି ନେତା ବାବୁ ସିଂ, ପ୍ରଶାନ୍ତ ଜଗଦେବ ଓ ଲୁଲୁ ବଡ଼ଜେନାଙ୍କ ସମେତ ବିଜେପି ନେତା ଓ କର୍ମୀମା‌ନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe