ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ: ଦିନ ଦିପହରେ ୬ଟି ଫ୍ଲାଟ୍‌ରେ ପଶିଗଲେ

ପାର୍ବଣ ଆରମ୍ଭରୁ ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ଆପାର୍ଟମେଣ୍ଟ ଲୁଟେରା। ଦିନ ଦିପହରରେ ଘରେ ପଶି କଳାକନା ବୁଲାଉଛନ୍ତି। ଗୁରୁବାର ପୂର୍ବାହ୍ଣରେ ଚନ୍ଦକା ମିଡାୱ ଓ ପ୍ରଭୁଜୀ ଏନ୍‌କ୍ଲେଭ୍‌ର ପଶି ଏକକାଳୀନ ୬ଟି ଫ୍ଲାଟ୍‌ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି।

loot

Photograph: (Ahmedabad Mirror)

ଭୁବନେଶ୍ବର: ପାର୍ବଣ ଆରମ୍ଭରୁ ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ଆପାର୍ଟମେଣ୍ଟ ଲୁଟେରା। ଦିନ ଦିପହରରେ ଘରେ ପଶି କଳାକନା ବୁଲାଉଛନ୍ତି। ଗୁରୁବାର ପୂର୍ବାହ୍ଣରେ ଚନ୍ଦକା ମିଡାୱ ଓ ପ୍ରଭୁଜୀ ଏନ୍‌କ୍ଲେଭ୍‌ର ପଶି ଏକକାଳୀନ ୬ଟି ଫ୍ଲାଟ୍‌ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଦୁଇ ଲୁଟେରାଙ୍କ ଚମ୍ପଟ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଚନ୍ଦକା ଥାନା ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଦିନ ଦିପହରରେ ଏଭଳି ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ  କୋକୁଆଭୟ ସୃଷ୍ଟି ହୋଇଛି।

ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ
ଲକ୍ଷାଧିକ ଟଙ୍କା, ସୁନା ଗହଣା ଚୋରି

ସୂଚନା ମୁତାବକ, ଗୁରୁବାର ସକାଳ ପାଖାପାଖି ସାଢ଼େ ୯ଟା ସମୟରେ ଦୁଇ ଲୁଟେରା ବାଇକ୍‌ରେ ଆସି ପ୍ରଥମେ ଆପାର୍ଟମେଣ୍ଟ ନିକଟରେ ଚକ୍କର କାଟିଥିଲେ। କିଛି ସମୟ ସ୍ଥିତି ଅନୁଧ୍ୟାନ କରିବା ପରେ ବାଇକ୍‌ ରଖି ଆପାର୍ଟମେଣ୍ଟ ଭିତରକୁ ପଶିଥିଲେ। ପ୍ରଥମେ ମିଡାୱ ଆପାର୍ଟମେଣ୍ଟରେ ପଶି ତାଲା ପଡ଼ିଥିବା ଫ୍ଲାଟ୍‌ଗୁଡ଼ିକୁ ଟାର୍ଗେଟ୍‌ କରି ଭାଙ୍ଗିଥିଲେ। ମିଡାୱର ୪ଟି ଫ୍ଲାଟରୁ ଲୁଟିବା ପରେ ପ୍ରଭୁଜୀ ଏନ୍‌କ୍ଲେଭ୍‌ରେ ପଶିଥିଲେ। ସେଠାରେ ମଧ୍ୟ ସମାନ ଢଙ୍ଗରେ ୨ଟି ଫ୍ଲାଟ୍‌ରୁ ଲୁଟିଥିଲେ। ଲୁଟେରାଦ୍ବୟ ସାଢ଼େ ୯ରୁ ସାଢ଼େ ୧୦ ପର୍ଯ୍ୟନ୍ତ ଘଣ୍ଟାଏ ମଧ୍ୟରେ ଦୁଇଟି ଆପାର୍ଟମେଣ୍ଟରୁ ଚୋରି କରି ଫେରାର ହୋଇଯାଇଥିଲେ। ଚୋରି ହୋଇଥିବା ଫ୍ଲାଟ୍‌ର ମାଲିକମାନେ ଫେରିବା ପରେ ତାଲା ଭଙ୍ଗାଯାଇଥିବା ଦେଖି ତୁରନ୍ତ ପୁଲିସକୁ ଜଣାଇଥିଲେ। ଏହି ଲୁଟ୍‌ ପଛରେ କେବଳ ବାଇକ୍‌ରେ ଆସିଥିବା ଦୁଇ ଲୁଟେରାଙ୍କ ସମ୍ପୃକ୍ତି ରହିଛି ନା ସେମାନଙ୍କର ଗ୍ୟାଙ୍ଗ୍‌ ରହିଛି, ସେଦିଗରେ ପୁଲିସ ଖୋଳତାଡ଼ କରୁଛି। 

ମୁକୁଳା ଆପାର୍ଟମେଣ୍ଟ, ନାହାନ୍ତି ସୁରକ୍ଷାକର୍ମୀ, ନାହିଁ ସିସି କ୍ୟାମେରା
ପୁଲିସ ତଦନ୍ତରୁ ଆପାର୍ଟମେଣ୍ଟର ହୁଗୁଳା ସୁରକ୍ଷା ବ୍ୟବସ୍ଥା କଥା ଜଣାପଡ଼ିଛି। ଶତାଧିକ ପରିବାର ରହୁଥିଲେ ହେଁ ଏଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇନାହାନ୍ତି। ଏମିତିକି ରାତ୍ର ଜଗୁଆଳୀ ମଧ୍ୟ ନିୟୋଜିତ ହୋଇନାହାନ୍ତି। ପୁଣି ଏଠାରେ ସିସି କ୍ୟାମେରା ନାହିଁ। ତେଣୁ ଢିଲା ସୁରକ୍ଷା ବ୍ୟବସ୍ଥା ଲୁଟେରାଙ୍କୁ ସୁହାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe