ଅପହଞ୍ଚ ସମ୍ପର୍କ

Advertisment
ଅପହଞ୍ଚ ସମ୍ପର୍କ

ଭୁବନେଶ୍ବର: ଦିନେ ଏକ ସଂଯୋଗରୁ ସୃଷ୍ଟି ହୋଇଥିଲା ସମ୍ପର୍କ। ଆଉ ଏଇ ସମ୍ପର୍କରୁ ଜନ୍ମ ନେଇଥିଲା ଆଦିତ୍ୟ ଓରଫ୍‌ ଆଦି। ଜୀବନରେ କେବେ ବାପା ମା’ଙ୍କୁ ଦେଖିନଥିଲେ ହେଁ ହସ ଖୁସିରେ ବିତି ଯାଉଥିଲା। ଜେଜେ ବାପା ପାଖରେ ବଢ଼ୁଥିଲା। ହେଲେ ହଠାତ୍‌ ଝଡ଼ ଭଳି ତା’ ଜୀବନ ଭିତରକୁ ପଶି ଆସିଥିଲେ ତାକୁ ଜନ୍ମ ଦେଇଥିବା ପିତାମାତା। ଦିନେ ଜନ୍ମ କରି ଆଦିକୁ ଛାଡ଼ି ଚାଲି ଯାଇଥିବା ପିତାମାତା ଉଭୟ ନିଜ ଅଧିକାର ସାବ୍ୟସ୍ତ କରି ତାକୁ ନିଜର କରିବାକୁ ହାତ ବଢ଼େଇଥିଲେ। ଗୋଟେ ପଟେ ବ୍ୟବସାୟୀ ବାପାର ପ୍ରାଚୁର୍ଯ୍ୟ ଏବଂ ଅନ୍ୟପଟେ ଗବେଷିକା ମା’ର ସ୍ନେହ। କେଉଁଟିକୁ ନିଜର କରିବ ଭାବି ଶେଷରେ ତାକୁ ଆଶ୍ରା ଦେଇ ଉଭୟ ବାପା ମା’ର ସ୍ନେହ ଦେଇ ମଣିଷ କରିଥିବା ୮୦ ବର୍ଷର ଜେଜେ ବାପା ପାଖେ ରହିବାକୁ ପସନ୍ଦ କରିଥିଲା ଆଦିତ୍ୟ। ଆଜି ଏହିଭଳି ସାମାଜିକ କଥାବସ୍ତୁକୁ ନେଇ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଅପହଞ୍ଚ ସମ୍ପର୍କ’। ‘ବିଜୟ ଏକ ଉଚ୍ଛ୍ବାସ’ ଅନୁଷ୍ଠାନର କଳାକାର ଏଇ ନାଟକ ଭେଟି ଦେଇଥିଲେ। ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଏହି ନାଟକ ରଚନା କରିଥିବା ବେଳେ ଅନ୍ତର୍ଯ୍ୟାମୀ ପଣ୍ଡା ଓ ଅରିନ୍ଦମ ମିଶ୍ର ନିର୍ଦେଶନା ଦେଇଥିଲେ। ବିଭୁ ଦାସ, ପ୍ରଦୀପ ସ୍ବାଇଁ, ଆୟୁଷ୍ମାନ ଦାସ, ଶ୍ବେତା ରଥ ଅନ୍ୟ କଳାକାରମାନେ ଅଭିନୟ କରିଥିଲେ। ଏହି ଅବସରରେ ବାଞ୍ଝାନିଧି ପଟ୍ଟନାୟକଙ୍କୁ ରୂପସଜା ସମ୍ମାନ ଏବଂ ଡ. ପିକେ ମହାନ୍ତିଙ୍କୁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଆଇଡିବିଆଇ ବ୍ୟାଙ୍କ୍‌ର ସିଜିଏମ୍‌ ଏ ଏନ୍‌ କାକ୍ରେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe