ଭୁବନେଶ୍ବର: ଭୁବନେଶ୍ୱର ନାଇଜର କ୍ୟାମ୍ପସରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବା ଘୋଷଣା ହୋଇଛି। ଏନେଇ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏନେଇ ଶ୍ରୀ ସିଂହ କହିଛନ୍ତି, ଭାରତର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଉଛନ୍ତି। ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହେବେ। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହାର ନିର୍ମାଣରେ ଭାରତ ସରକାର ୪୦୦ କୋଟି ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ନାଇଜର ୧୭ ଏକର ଜମି ପ୍ରଦାନ କରି ସାରିଛି। ଅତିରିକ୍ତ ୧୦ ଏକର ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ। ଆଗାମୀ ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
Follow Us