ଅର୍ପଣ ଥିଏଟର୍‌ ଫେଷ୍ଟିଭାଲ -୨୦୧୮ ଆରମ୍ଭ : ପ୍ରଥମ ସନ୍ଧ୍ୟାରେ ‘ଅର୍ଦ୍ଧନାରୀ’

Advertisment
ଅର୍ପଣ ଥିଏଟର୍‌ ଫେଷ୍ଟିଭାଲ -୨୦୧୮ ଆରମ୍ଭ : ପ୍ରଥମ ସନ୍ଧ୍ୟାରେ ‘ଅର୍ଦ୍ଧନାରୀ’

ଭୁବନେଶ୍ୱର : ସମସ୍ତେ ଭାବନ୍ତି ମଣିଷ ହେଉଛନ୍ତି ଦୁଇ ପ୍ରକାର। ଜଣେ ପୁରୁଷ, ଆଉ ଜଣେ ନାରୀ। କିନ୍ତୁ ପୁରୁଷ ଓ ସ୍ତ୍ରୀ ପରି ଆଉ ଏକ ବର୍ଗ ଅଛନ୍ତି ସେମାନେ ହେଉଛନ୍ତି କିନ୍ନର। ଏହି କିନ୍ନରମାନଙ୍କୁ ସମାଜରେ ଖରାପ ଦୃଷ୍ଟିରେ ଦେଖାଯାଏ। ସାଧାରଣ ଲୋକଙ୍କ ପରି ସେମାନେ ସମାଜରେ ସହଜରେ ବଞ୍ଚିପାରନ୍ତି ନାହିଁ। ଏମିତି ଏକ ଦୁଃଖଭରା କାହାଣୀ ‘ଅର୍ଦ୍ଧନାରୀ’ ଆଜି ଭଞ୍ଜକଳା ମଣ୍ଡପରେ ପରିବେଷିତ ହୋଇଛି।

ଅର୍ପଣ ଥିଏଟର ଫେଷ୍ଟିଭାଲ -୨୦୧୮ ପକ୍ଷରୁ ଏକ ତିନିଦିନିଆ କାର୍ଯ୍ୟକ୍ରମ ଭଞ୍ଜକଳା ମଣ୍ଡପରେ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ସନ୍ଧ୍ୟାରେ ପରିବେଷିତ ନାଟକ ‘ଅର୍ଦ୍ଧନାରୀ’ କିନ୍ନରମାନଙ୍କ ଜୀବନ ଉପରେ ଆଧାରିତ। ଗୋଟିଏ ପଟେ କିନ୍ନରମାନେ ବିଶ୍ୱାସ କରନ୍ତି ବହୁ ଜନ୍ମର ପୁଣ୍ୟ ଫଳରେ ଜଣେ ଏହି ଜନ୍ମ ପାଇଥାଏ। କିନ୍ତୁ ଆମ ସମାଜ ଏହି କଥାକୁ ମାନିବାକୁ କୁଣ୍ଠାବୋଧ କରେ। ସେଥିପାଇଁଁ କିନ୍ନରମାନେ ବଞ୍ଚିବାକୁ ବହୁ ସଂଘର୍ଷ କରନ୍ତି, ଏଭଳି ଏକ ହୃଦୟ ବିଦାରକ କାହାଣୀକୁ ନେଇ ତିଆରି ହୋଇଛି ନାଟକ ‘ଅର୍ଦ୍ଧନାରୀ’। ଏହି ନାଟକର କାହାଣୀ, ସଂଳାପ ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ କୁମାର ଶତପଥୀ, ନାଟ୍ୟରୂପ ଦେଇଛନ୍ତି ଅରୁବାବା ମହାନ୍ତି, ସଂଗୀତରେ ଅଛନ୍ତି ଶକ୍ତି ପ୍ରସାଦ ମିଶ୍ର। ଏଥିରେ ବିଜୟ ରଥ, ବାପୁ ରଥ, ବେବି ମଣ୍ଡଳ, ମାନବ ରାଉତରାୟ, ବିପ୍ରଞ୍ଜୟ ନାୟକ, ପାର୍ଥସାରଥୀ ମହାନ୍ତି, ସୁବାସ ପଣ୍ଡା, ମନୋଜ କୁମାର ବରାଳ, ସତ୍ୟମ ଜୋସେଫ, ଏମ୍‌ କେ ସମୀର, ଖଗେଶ୍ୱର ଦୁବେ, ସୋମନାଥ ପ୍ରଧାନ, ସୂର୍ଯ୍ୟକାନ୍ତ ଦଳେଇ ଓ ଦୁଷ୍ମନ୍ତ ବେହେରା ପ୍ରମୁଖ ଅଭିନୟ କରିଥିଲେ। ଏହି ଉଦ୍‌ଘାଟନ ଉତ୍ସବରେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ବିଶିଷ୍ଟ ନାଟ୍ୟକାର ଦୋଳଗୋବିନ୍ଦ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମୌସୁମୀ ପରିଡ଼ା, ବସନ୍ତ ବେଉରା ଓ ମନୋରଞ୍ଜନ ମହାନ୍ତିଙ୍କୁ ‘ଅର୍ପଣ ଶାନ୍ତିଦେବୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe