ବନ୍ଧା ହେଲେ ବାଂଲାଦେଶୀ ଯୁବତୀ, ନକଲି ପରିଚୟପତ୍ର ଦେଇ ହୋଟେଲରେ ରହୁଥିଲେ

ହୋଟେଲ ମ୍ୟାନେଜରଙ୍କ ନାମରେ ଆକ୍ରମଣ ଅଭିଯୋଗ କରିଥିଲେ

ବନ୍ଧା ହେଲେ ବାଂଲାଦେଶୀ ଯୁବତୀ, ନକଲି ପରିଚୟପତ୍ର ଦେଇ ହୋଟେଲରେ ରହୁଥିଲେ

ଭୁବନେଶ୍ବର: ଗତ ୧୭ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ନିୟୁ ଆଶୀର୍ବାଦ ହୋଟେଲ କର୍ମଚାରୀ ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ ମାମଲା ବିଚିତ୍ର ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସ୍ଥିତି ହୋଇଛି। ଯୁବତୀଙ୍କ ପରିଚୟ ନେଇ ଖୋଳତାଡ଼ ହେବା ପରେ ସେ ନକଲି ପରିଚୟ ପତ୍ର ଦେଇ ଏଠାରେ ରହୁଥିବା ଜଣାପଡ଼ିଛି। ବାସ୍ତବରେ ସେ ଜଣେ ବାଂଲାଦେଶୀ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଆଜି ଗିରଫ କରିଛି। ସେ ହେଉଛନ୍ତି ବାଂଲାଦେଶ ଢାକାର ଶିଖା ସମଦର। ତାଙ୍କୁ ଫରେନର୍ସ ଆକ୍ଟ ଦଫା ୧୪-ଏ(ବି) ଓ ୪୬୮/୪୭୧ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

publive-image photo-aajtak

ପ୍ରକାଶ ଥାଉକି, ନିୟୁ ଆଶୀର୍ବାଦ ହୋଟେଲର ଏକ ରୁମ୍‌(ନଂ୧୦୫)ରେ ଯୁବତୀ ଜଣକ ରହୁଥିଲେ। ସେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପରିଚୟପତ୍ର ଦେଇଥିଲେ। ୧୭ ତାରିଖ ଦିନ ତାଙ୍କୁ ହୋଟେଲ କର୍ମଚାରୀ ମାଡ଼ମାରି ମୋବାଇଲ ଛଡ଼ାଇ ନେଇଥିଲେ ବୋଲି ସେ ପୁଲିସରେ ଅଭିଯୋଗ କରିଥିଲେ। ସେଦିନ ଅଭିଯୋଗ ଦାଖଲ କରିବା ପାଇଁ ଯୁବତୀ ଜଣକ କିଛି ବାଟ ଚାଲିବା ପରେ କ୍ୟାପିଟାଲ ଥାନାରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ। ହେଲେ ଘଟଣାସ୍ଥଳ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇ ଥିବାରୁ ପୁଲିସ ଅଭିଯୋଗପତ୍ର ସେଠାକୁ ପଠାଇ ଦେଇଥିଲା। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ ପରେ ମ୍ୟାନେଜର ଓ ସୁଇପରଙ୍କୁ ଗିରଫ କରିଥିଲା। କିନ୍ତୁ ରେଜିଷ୍ଟରରେ ଥିବା ପ୍ରମାଣ ମୁତାବକ, ସମ୍ପୃକ୍ତ ଯୁବତୀଙ୍କ ସହ ଗୋଟିଏ ରୁମ୍‌ରେ ଆଉ ଜଣେ ଯୁବକ ରହୁଥିଲେ। ଏହି ଯୁବକ ଜଣକ ଓ ଯୁବତୀଜଣକ ପୂର୍ବରୁ ଏଠାରେ ଅକାଧିକ ବାର ରହିଥିବା ରେଜିଷ୍ଟରରେ ପ୍ରମାଣ ରହିଥିଲା। ଏଥର ସେ ୪ଦିନ ହେବ ଏଠାରେ ରହୁଥିଲେ। ଇବ୍ରାହିମ୍‌ ନାମକ ଯୁବକଙ୍କ ଜରିଆରେ ସେ ଏହି ହୋଟେଲ୍‌ରେ ରହୁଥିଲେ। ତେବେ ଯୁବତୀଙ୍କ ପରିଚୟ ଓ ଇବ୍ରାହିମ୍‌ଙ୍କୁ ନେଇ ସନ୍ଦେହ ହେବାରୁ ପୁଲିସ ଯୁବତୀଙ୍କୁ ସ୍ବଧାର ଗୃହରେ ରଖି ତଦନ୍ତ କରୁଥିଲା। ତଦନ୍ତ ବେଳେ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଥିଲା। ବାଂଲାଦେଶରୁ ଲୁଚି ଆସି କଲିକତାରେ ଦୀର୍ଘ ଦିନ ଧରି ରହୁଥିଲେ। ସେ ମଧ୍ୟ ବିଭିନ୍ନ ସମୟରେ ଭୁବନେଶ୍ବର ଆସି ଭିନ୍ନ ଭିନ୍ନ ହୋଟେଲରେ ରହୁଥିଲେ। ତେବେ ସେ ଭୁବନେଶ୍ବର ବାରମ୍ବାର କାହିଁକି ଆସୁଥିଲେ? ଆଉ କେହି ବାଂଲା ଯୁବତୀ ତାଙ୍କ ସହ ଆସୁଛନ୍ତି କି? ଆଉ କେଉଁ ହୋଟେଲରେ ଏଭଳି ଯୁବତୀ ଆସି ରହୁଛନ୍ତି କି? ଆଦି ପ୍ରସଙ୍ଗ ଉପରେ ଅଧିକ ତଦନ୍ତ ଚାଲିଛି ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe