ମଞ୍ଚରେ ଅପରାଜିତାଙ୍କୁ ଜବାବ ଦେଲେ ଅଶୋକ

Advertisment
ମଞ୍ଚରେ ଅପରାଜିତାଙ୍କୁ ଜବାବ ଦେଲେ ଅଶୋକ

ପୁରୁଣା ଭୁବନେଶ୍ୱର : ମଞ୍ଚ ତଳେ କର୍ମୀମାନେ ମୁହାଁମୁହିଁ ହେଲା ବେଳେ ମଞ୍ଚ ଉପରର ଦୃଶ୍ୟ ବି କିଛି କମ୍ ନ ଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟରେ କଥା କଟାକଟି ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଅପରାଜିତା କହିଥିଲେ ଯେ ବହୁ ପୁରୁଣା ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି। ଏକାମ୍ର କ୍ଷେତ୍ରରେ ସବୁ ଜଳାଶୟର ପୁନରୁଦ୍ଧାର ଦରକାର ଥିଲା। ଆଶ୍ୱାସନା ଦିଆ ହେଉଥିଲା। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଦେଖାଯାଉ ନ ଥିଲା। ବର୍ତ୍ତମାନ ମୁଁ ଧନ୍ୟବାଦ ଦେବାକୁ ଚାହେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇଓସିଏଲକୁ। ଆଉ ୪ଟି ଜଳାଶୟର କାମ ମଧ୍ୟ ଆଇଓସିଏଲ୍‌ର ସହାୟତାରେ କରାଯିବ। କେଦାରଗୌରୀ, ଦେବୀ ପାଦହରା ଓ ପାପନାଶିନୀର ଏବେ ଶୋଚନୀୟ ଅବସ୍ଥା। ଯେଉଁ କାମ ଆମେ ହାତକୁ ‌େନବା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସାରିବା। ଖାଲି କହିଲେ କି ଆଶ୍ୱାସନା ଦେଲେ ହେବନି, ଆମେ ଦେଖିବା ଦରକାର।

publive-image

ଯେତେବେଳେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କହିବା ପାଳି ପଡ଼ିଲା ସେ ଅପରାଜିତାଙ୍କୁ ଜବାବ ଦେବାକୁ ପଛାଇ ନ ଥିଲେ। ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି କହି ଗୋଟି ଗୋଟି କାମର ତାଲିକା ଦେଲେ। ସେ କହିଲେ ଯେ ବିନ୍ଦୁସାଗର ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗରୁ ୬ କୋଟି ଟଙ୍କା ଦେଇଥିଲେ। ସେଥିରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ଓ କାର୍ଯ୍ୟ ଚାଲିଛି। ଦୟା ନଦୀରୁ ପାଣି ଆସି ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ପାଇଁ ସେଥିରେ ବ୍ୟବସ୍ଥା କରାଯାଉଛି। ସାଂସଦ ଯେଉଁ କେଦାରଗୌରୀ କଥା କହୁଥିଲେ, ତାହାର ମଧ୍ୟ କାମ ଆରମ୍ଭ ହୋଇଛି। କେଦାରଗୌରୀ ପାଇଁ କଲଭର୍ଟ କରିବା ନିମନ୍ତେ ୯୩ ଲକ୍ଷ ଟଙ୍କାର ଟେଣ୍ଡର ସରିଗଲାଣି। ଗୋଦାବରୀ କୁଣ୍ଡ, କୋଟିତୀର୍ଥ ପୋଖରୀ, ଗଙ୍ଗାଯମୁନା, ଦେବୀପାଦହରା, ପାପନାଶିନୀ ଓ କେଦାରଗୌରୀ ସବୁ ଯେଉଁ ସ୍ୱତନ୍ତ୍ର ଲିଙ୍ଗରାଜ ଆଇନ କରାଯାଇଛି, ସେଥିରେ ଏସବୁର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି। ବିନ୍ଦୁସାଗର ଚତୁଃପାର୍ଶ୍ବରେ ଯେଉଁ ଘାଟ ହୋଇଛି, ସେସବୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ। ବିନ୍ଦୁସାଗରରେ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ରାଜ୍ୟ ସରକାର କରିଛନ୍ତି। ନୂଆ ମାର୍କେଟ ଓ ନୂଆ ରାସ୍ତା ଯାହା ସାଂସଦ ଦେଖୁଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ଅବଦାନ। ଏକାମ୍ର କ୍ଷେତ୍ରର ପ୍ରମୁଖ ରାସ୍ତାର ଆଲୋକୀକରଣ ବି ସରକାର କରିଛନ୍ତି।

ରାଜ୍ୟ ସରକାରଙ୍କ କାର୍ଯ୍ୟର ତାଲିକା ଦେଲା ବେଳେ କେନ୍ଦ୍ରର ଅସହଯୋଗ କଥା କହିବାକୁ ବି ମନ୍ତ୍ରୀ ଭୁଲି ନଥିଲେ। ସେ କହିଥିଲେ ଯେ ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାର ୬ କୋଟି ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ୫ କୋଟି ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ରାଜ୍ୟ ଯୋଜନାରୁ ସେହି ୫କୋଟି ଟଙ୍କା ଭରଣା କରି ଧଉଳିର ବିକାଶ କଲେ। ଧଉଳି ରୋପ୍‌-ୱେ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ପରିବେଶକୁ ହାଲ୍‌କା କରିଦେଲେ ଧର୍ମେନ୍ଦ୍ର
ସାଂସଦ ଓ ମନ୍ତ୍ରୀଙ୍କ ଗରମାଗରମ ଭାଷଣ ସଭାସ୍ଥଳକୁ ସରଗରମ କରିଦେଇଥିଲା। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଷଣ ଦେଲା ସମୟରେ ହାଲ୍‌କା ମନ୍ତବ୍ୟ ଦେଇ ପରିବେଶକୁ କିଛିଟା ଆଶ୍ବସ୍ତି କରିଥିଲେ। ସେ କହିଥିଲେ ଯେ ‘ଆଗକୁ ମ୍ୟୁନିସିପାଲିଟି ନିର୍ବାଚନ ଅଛି। ଅପରାଜିତା ଆରମ୍ଭ କରିବେ, ଅଶୋକ ପଣ୍ଡା ଉତ୍ତର ଦେବେ। ଆଉ ଜିନ୍ଦାବାଦ ହେବନି କେମିତି। ହେବା ବି ଉଚିତ।’ ତେବେ ଧର୍ମେନ୍ଦ୍ର କେନ୍ଦ୍ର ଓ ରାଜ୍ୟର ଶ୍ରେୟ ନେଇ କୌଣସି ମନ୍ତବ୍ୟ ଦେଇ ନଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମରେ ଏକାମ୍ର କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ।

publive-image

ଠେଲାପେଲା, ହାତାହାତି
ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପକୁ ନେଇ ରାଜଧାନୀରେ ଯେତିକି ଚର୍ଚ୍ଚା ହୋଇନି, ତାହାଠାରୁ ଢେର୍‌ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ଘଟଣା। ଅତିଥି ପହଞ୍ଚିବାଠାରୁ ସଭା ଶେଷ ପର୍ଯ୍ୟନ୍ତ ଉଭୟପକ୍ଷ ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ବିଜେଡି କର୍ମୀମାନେ ନବୀନ...ନବୀନ ନାରାରେ ସଭାସ୍ଥଳ କମ୍ପାଉଥିଲା ବେଳେ ବିଜେପି କର୍ମୀମାନେ ମୋଦୀ...ମୋଦୀ କହୁଥିଲେ। ବିଜେଡି କର୍ମୀମାନେ କାନ୍ଧରେ ପକାଇଥିବା ସବୁଜ ଗାମୁଛାକୁ ଉଡ଼ାଇଥିଲେ। ଉଭୟ ପକ୍ଷ ସ୍ଲୋଗାନ୍ ଦେଇ ପରସ୍ପରକୁ ଉସ୍‌କାଉଥିବାର ଦେଖିବାକୁ ମିଳିଥିଲା। ମଝିରେ ମଝିରେ କିଛି କର୍ମୀ ପରସ୍ପରକୁ ଠେଲାପେଲା ବି କରୁଥିଲେ। ଅବଶ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏପରି ନ କରିବା ପାଇଁ କର୍ମୀମାନଙ୍କୁ ତାଗିଦ୍ କରୁଥିଲେ। କିନ୍ତୁ ପରିସ୍ଥିତି ଏପରି ଥିଲା ଯେ କେହି କାହାରିକୁ ମାନିବା ପାଇଁ ପ୍ରସ୍ତୁତ ନ ଥିଲେ। ସଭା ସରିଲା ପରେ ମଧ୍ୟ ରାସ୍ତାରେ ସାଂସଦଙ୍କ ଗାଡ଼ି ସାମ୍ନାରେ ବିଜେଡି କର୍ମୀମାନେ ପତାକା ଦେଖାଇ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ପରି ଅନୁଭବ ହୋଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe