ଏଏସ୍‌ଆଇ ମାନିଲା, ମରାମତି କରିବ

Advertisment

ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗ ଫାଟ ପ୍ରସଙ୍ଗ

ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗ ଫାଟ ପ୍ରସଙ୍ଗ

ମୂଷଳଧାରା ବର୍ଷା ଯୋଗୁଁ ଲିଙ୍ଗରାଜ ମନ୍ଦିର ଜଳାର୍ଣ୍ଣବ: ବୁଡ଼ିଗଲା ବାଇଶି ପାହାଚରୁ ସିଂହଦ୍ବାର

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଥିବା ଘଟଣାକୁ ବିଳମ୍ବରେ ହେଉ ପଛେ କେନ୍ଦ୍ର ପ୍ରତ୍ନତ୍ତ୍ୱ ବିଭାଗ (ଏଏସ୍‌ଆଇ) ସ୍ୱୀକାର କରିଛି। ମନ୍ଦିରର ରାହାପାଗରେ ଫାଟ ରହିଛି ବୋଲି ବିଭାଗ ମାନିଛି। ତେଣୁ ରାହାପାଗରେ ୭ଟି ସ୍ଥାନରେ ଥିବା ଏହି ଫାଟକୁ ଖୁବଶୀଘ୍ର ମରାମତି କରି ବୁଜାଯିବ ବୋଲି ଜଣାଯାଇଛି। ଏହି ମୁଖ୍ୟ ସମସ୍ୟା ସମେତ ମନ୍ଦିରର ଅନ୍ୟ କିଛି ସମସ୍ୟାକୁ ସମାଧାନ କରିବାକୁ ଏବେ ୩୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରର ଏହି ଦୁରବସ୍ଥା ସଂପର୍କରେ ଗତବର୍ଷ ଅକ୍ଟୋବର ମାସରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ସାମନ୍ୟ ବର୍ଷା ହେଲେ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗମଣ୍ଡପ ଓ ଜଗମୋହନ ସମେତ ବଡ଼ ଗଣେଶ, ମହାପ୍ରସାଦ ଯିବା ଆସିବା ସ୍ଥାନ, ଜଗନ୍ନାଥ ମନ୍ଦିର ପଛ, ବୈଦ୍ୟନାଥ ମନ୍ଦିରରେ ପାଣି ଗଳୁଛି ବୋଲି ଏଏସ୍‌ଆଇକୁ ଅବଗତ କରାଯାଇଥିଲା। ରାହାପାଗରେ ଫାଟ ଥିବାରୁ ଏହା ମନ୍ଦିରକୁ ଦୁର୍ବଳ କରୁଥିବା ନେଇ ସେବାୟତମାନେ ମଧ୍ୟ ଅଭିଯୋଗ କରି ଆସୁଥିଲେ। ଏ ସଂପର୍କରେ ଏଏସ୍‌ଆଇର ଏକ ଦଳ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ହେଁ କାହାରିକୁ କିଛି କହିବାକୁ ମନା କରିଦେଇଥିଲା। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଏଏସ୍‌ଆଇ ଚୁପ୍‌ ରହିବା ସମସ୍ତଙ୍କୁ ବିସ୍ମିତ କରିଥିଲା କିନ୍ତୁ ଏବେ ଏଏସ୍‌ଆଇ ପକ୍ଷରୁ ରାହାପାଗରେ ଫାଟ ଓ ପାଣି ଗଳୁଥିବା ଅଭିଯୋଗକୁ ସ୍ୱୀକାର କରାଯାଇଛି। ତେଣୁ ମନ୍ଦିରର ମରାମତି ପାଇଁ ୩୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ରାହାପାଗରେ ସୃଷ୍ଟି ହୋଇଥିବା ଫାଟର ମରାମତି କରାଯିବା ସହ ପାଣି ଗଳୁଥିବା ଅନ୍ୟ ସ୍ଥାନଗୁଡ଼ିକର ମଧ୍ୟ ମରାମତି କରାଯିବ।

ଏନେଇ ଏଏସ୍‌ଆଇର ଭୁବନେଶ୍ୱର ଉପଖଣ୍ଡ ସଂରକ୍ଷକ ଦିଲ୍ଲୀପ କୁମାର ପଣ୍ଡା କହନ୍ତି, ମନ୍ଦିରରେ ସୃଷ୍ଟି ହୋଇଥିବା ରାହାପାଗ ଫାଟର ମରାମତି କରାଯିବ। ଉଭୟ ପଥରକୁ ଯୋଡ଼ାଯିବ। ଏଥିସହ ପାଣି ଗଳୁଥିବା ସ୍ଥାନରେ ପଏଣ୍ଟିଙ୍ଗ୍‌ ଓ ଗ୍ରାଉଣ୍ଟିଙ୍ଗ୍‌ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଏସ୍‌ଆଇ ସୁପରିନ୍‌ଟେଣ୍ଡେଣ୍ଟ୍‌ ହେମସାଗର ଅଭୟ ନାୟକ କହନ୍ତି, ବର୍ଷା ସମୟରେ ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟ କରାଯିବ। ଏକାମ୍ର କ୍ଷେତ୍ରର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରଟି ଏକାଦଶ ଶତାବ୍ଦୀରେ ରାଜା ଯଯାତିକେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେହି ସମୟରେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମନ୍ଦିରଗୁଡ଼ିକ ତିଆରି ହୋଇଥିଲା। ୧୯୫୮ ମସିହାରେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଏହି ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣା ଦାୟିତ୍ଵ ନେଇଥିଲା। ମାତ୍ର ଗତ କିଛି ବର୍ଷ ହେଲା ଏହି ସବୁ ମନ୍ଦିରରେ ବିଭିନ୍ନ ସମସ୍ୟା ବାହାରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe