image source-Sabrang India
ଭୁବନେଶ୍ବର : ଜମି ଦେବା ନାଁରେ ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ଭାଣପୁର ଅଞ୍ଚଳର ଅଜୟ କୁମାର ଷଡ଼ଙ୍ଗୀ(୫୦)। ସେ ଧର୍ମବିହାର ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ଅନୁସାରେ, ବରମୁଣ୍ଡା ବିଡିଏ କଲୋନିରେ ରହୁଥିବା ପ୍ରତିମା ଦାସଙ୍କୁ ପାଣ୍ଡରା ମୌଜାରେ ୩୧୦ ଡିସିମିଲ ଜମି ଦେବେ ବୋଲି କହିଥିଲେ ଅଜୟ। ୮୩ ଲକ୍ଷରେ ଡିଲ୍ ହୋଇଥିଲା। ଏଥିପାଇଁ ପ୍ରତିମା ଦୁଇଟି ଚେକ୍ ଜରିଆରେ ଆଗୁଆ ଅଜୟଙ୍କୁ ୩୫ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୮ ଡିସେମ୍ବର ସୁଦ୍ଧା ଜମି ମିଳିବ ବୋଲି ଅଜୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘଦିନ ଧରି ପ୍ରତିମା ଜମି ପାଇ ନ ଥିଲା ବେଳେ ଟଙ୍କା ଫେରସ୍ତ ମାଗି ନିରାଶ ହୋଇଥିଲେ। ଅଜୟ ତାଙ୍କୁ ଯେଉଁ ଚେକ୍ ଦେଇଥିଲେ ତାହା ବାଉନ୍ସ କରି ଯାଇଥିଲା। ପ୍ରତିମା ଏ ନେଇ କୋର୍ଟରେ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ। ଏ ସମ୍ପର୍କରେ ଅଜୟଙ୍କ ପାଖକୁ ନୋଟିସ୍ ମଧ୍ୟ ଆସିଥିଲା। କାହିଁକି ଚେକ୍ ବାଉନ୍ସ ମାମଲା ଦାୟର କରିଛ ବୋଲି କହି ଅଜୟ ଓ ତାଙ୍କ ପୁଅ ପ୍ରତିମା ଏବଂ ତାଙ୍କ ପରିବାର ଲୋକଙ୍କୁ ମାରପିଟ୍, ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଥିଲା।
Follow Us