ରବୀନ୍ଦ୍ର ମଣ୍ଡପରେ ‘ଅସୀମ ବସୁ’

Advertisment
ରବୀନ୍ଦ୍ର ମଣ୍ଡପରେ ‘ଅସୀମ ବସୁ’

ଭୁବନେଶ୍ୱର : ସେଇ ହାଡ଼ୁଆ ମୁହଁ। ଡେଙ୍ଗା ଆଉ ରୋଗା ଶରୀର। ମୁହଁରେ ଦାଢ଼ି ଆଉ ମୁଣ୍ଡରେ ସେଇ ଆବୁରୁଜାବୁରୁ ଅଡ଼ୁଆ ଚୁଟି। ରବୀନ୍ଦ୍ର ମଣ୍ଡପ ମଞ୍ଚରେ ସେ କେତେ କଳାକାରଙ୍କୁ ନିର୍ଦେଶନା ଦେଇ ନାଟକ ପ୍ରସ୍ତୁତ କରିଛନ୍ତି। ତାଙ୍କ ହାତର ସ୍ପର୍ଶ ପାଇ ବ୍ୟାକ୍‌ଡ୍ରପ୍‌ର କେତେ ମଞ୍ଚ ଜୀବନ୍ତ ନହୋଇଛି ସତେ। ହେଲେ ଇଏ ପୁଣି ରବୀନ୍ଦ୍ର ମଣ୍ଡପରେ କିଏ ? ଯିଏ ତାଙ୍କ ଭଳି ଚିତ୍ର ଆଙ୍କୁଛି, ମଞ୍ଚ କଳା ପାଇଁ ଦିନଦିନ ବିତେଇ ଦେଉଛି ଆଉ ଅଭିନୟରେ ବୁଡ଼ି ରହୁଛି। ହଁ ଇଏ ଥିଲେ ଅସୀମ ବସୁ ବା ନାଟ୍ୟ ଜଗତର ଅସୀମ ଦା। ସେ ସିନା ନଥିଲେ କିନ୍ତୁ ତାଙ୍କ ଅବର୍ତମାନରେ ତାଙ୍କର ଉପସ୍ଥିତିକୁ ଅନୁଭବ କରାଇଥିଲା ନାଟକ ‘ସେଇ ଲୋକଟି’।

ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ‘ସେଇ ଲୋକଟି’ରେ ଅସୀମ ଦାଙ୍କ ପ୍ରେମ, ସଂଘର୍ଷ, ସରଳପଣ, ଠୋଠୋ ହସ ଏବଂ ସିଗାରେଟ୍‌ ଧୁଆଁ ସହ ଜୀବନର ସବୁ ଦୁଃଖକୁ ଫୁ କରି ଉଡ଼ାଇ ଦେବଉଥିବା ଦୀର୍ଘଶ୍ୱାସକୁ ଅନୁଭବ କରିଥିଲେ ଦର୍ଶକ। ନକଲି ଅସୀମ ବସୁ ଭୂମିକାରେ ତାଙ୍କ ପରି ଦିଶୁଥିବା ଚୌଧୁରୀ ବିକାଶ ଦାସଙ୍କ ଜୀବନ୍ତ ଅଭିନୟ ବେଶ୍‌ ମର୍ମସ୍ପର୍ଶୀ ହୋଇପାରିଥିଲା। ଭରତପୁତ୍ର ନାଟ୍ୟାନୁଷ୍ଠାନ ପକ୍ଷରୁ ମଂଚସ୍ଥ ନାଟକରେ ନିର୍ଦେଶନା ଦେଇଥିଲେ ଚୌଧୁରୀ ଜୟପ୍ରକାଶ ଦାସ। ଭାସ୍ୱତୀ ବସୁ ମଞ୍ଚ ପରିକଳ୍ପନା କରିଥିବା ବେଳେ ସଜେଇଥିଲେ ପ୍ରଜ୍ଞା। ଏହି ଅବସରରେ ବିଶିଷ୍ଟ କବି ରମାକାନ୍ତ ରଥ, ବିଶିଷ୍ଟ ନାଟ୍ୟ ନିର୍ଦେଶକ ଅନନ୍ତ ମହାପାତ୍ର, ଚିତ୍ରଶିଳ୍ପୀ ରାମହରି ଜେନା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାସ୍ୱତୀ ବସୁ, ପବିତ୍ର ମୋହନ କର ଏବଂ ଦେବଦତ୍ତ ପତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe