ବାରଙ୍ଗ: ବାଲିଯାତ୍ରା ସରିଆସୁଥିବାରୁ ଆଜି ଭୁବନେଶ୍ବର ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। କୁଆଖାଇ ନଦୀର ବରିମୁଣ୍ଡ ପଠା ଆଜି ସନ୍ଧ୍ୟାରେ ଲୋକାରଣ୍ୟ ହୋଇପଡ଼ିଥିଲା। ଖାଦ୍ୟ ଷ୍ଟଲ୍ରେ ଯେତିକି ଗହଳି ମନୋହରି ଦୋକାନ ଓ ଘରକରଣା ସାମଗ୍ରୀ ଦୋକାନରେ ବି ସେଭଳି ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ମଞ୍ଚଦ୍ବୟ ନିକଟରେ ବି ଦର୍ଶକମାନଙ୍କ ଗହଳି କିଛି କମ୍ ନଥିଲା। ପ୍ରଥମ ମଞ୍ଚରେ କୁନି କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ତେବେ ଦ୍ବିତୀୟ ମଞ୍ଚରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପ୍ରଦର୍ଶନ ବରିମୁଣ୍ଡ ନଦୀପଠାରୁ ଶୀତ ହଜାଇ ଦେଇଥିଲା। ପ୍ରଥମେ ପୁରୁଣା ଚଳଚ୍ଚିତ୍ରର ଗୀତ ଗାଇ ସେ ଦର୍ଶକଙ୍କୁ ବିମୋହିତ କରିଥିଲେ ଏବଂ ପରେ ଆଲବମ୍ ଗୀତ ଗାଇ ମଞ୍ଚ ତଳେ ଯୁବ ଦର୍ଶକଙ୍କୁ ନଚେଇ ଦେଇଥିଲେ। ‘ଏ ଫୁଲ କହ ଥରେ...’ ଗୀତରେ ଦର୍ଶକମାନେ କରତାଳି ବୃଷ୍ଟି କରିଥିଲେ। ପରେପରେ ‘ରସ ଜାମୁଡାଳି’ ଗୀତ ଗାଇ ସେ ଦର୍ଶକମାନଙ୍କୁ ଝୁମେଇ ଦେଇଥିଲେ। ଆଜି ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ର, ବିଜେଡି ନେତା ମନ୍ମଥ ରାଉତରାୟ, ଅଭୟ କୁମାର ବଡ଼ଜେନା, ପୂର୍ବତନ ସରପଞ୍ଚ ସନ୍ତୋଷ ନାଥ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ।
Bhubaneswar baliyatra: ଶୀତ ହଜେଇଦେଲେ ଅସୀମା
Advertisment
Follow Us