ଭୁବନେଶ୍ୱର: ରାଜଧାନୀର ୬ଟି ବାର୍ର ଲାଇସେନ୍ସ ରଦ୍ଦ କରିବାକୁ କମିସନରେଟ୍ ପୁଲିସ ଯୋଜନା କରିବା ପରେ ବାର୍ ଆସୋସିଏସନ୍ ଅଫ୍ ଓଡ଼ିଶା ଏ ସଂକ୍ରାନ୍ତରେ ମୁହଁ ଖୋଲିଛି। ଆସୋସିଏସନ୍ ପକ୍ଷରୁ କୁହାଯାଇଛି, ୨୦୧୮ମସିହାରେ ଲାଇସେନ୍ସ ନବୀକରଣ ପାଇଁ ଗତ ଏପ୍ରିଲ ମାସରୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ବିଭିନ୍ନ ଆଳ ଦେଖାଇ ଜିଲ୍ଲାପାଳ ବାର୍ଗୁଡ଼ିକର ଲାଇସେନ୍ସ ନବୀକରଣ କରାଉନାହାନ୍ତି। ଫଳରେ ପୁଲିସ ଓ ଅବକାରୀ ବିଭାଗ ବିଭିନ୍ନ ସମୟରେ ବାର୍ଗୁଡ଼ିକରେ ଚଢ଼ଉ କରୁଛନ୍ତି। ସଂଘ ପକ୍ଷରୁ ଆହୁରି କୁହାଯାଇଛି, ଯେଉଁମାନଙ୍କର ଲାଇସେନ୍ସ ଅଛି, ସେମାନଙ୍କ ଉପରେ ହିଁ ପୁଲିସ ଚଢ଼ଉ କରୁଛି। ବେଆଇନ ଭାବେ ରାଜଧାନୀରେ ଏକାଧିକ ଡ୍ୟାନ୍ସ ବାର୍ ଚାଲିଥିଲେ ହେଁ ସେଥିପ୍ରତି ପୁଲିସର ନଜର ପଡ଼ୁ ନାହିଁ। ବାର୍ଗୁଡ଼ିକ ବର୍ଷକୁ ୧୩ଲକ୍ଷ ଟଙ୍କା ରାଜସ୍ୱ ଦେଉଛନ୍ତି। ସେହିପରି ବାର୍ଗୁଡ଼ିକରେ ଏକାଧିକ ଯୁବକ, ଯୁବତୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହିଁ। ୪ମାସ ହେବ ବେପାର ବନ୍ଦ ରହିବା ଫଳରେ ଆମେ କେମିତି ରାଜସ୍ୱ ଦେବୁ ବୋଲି ସଂଘ ପକ୍ଷରୁ ସମ୍ପାଦକ ସତ୍ୟ ମହାନ୍ତି ପ୍ରଶ୍ନ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି, ରାଜଧାନୀର ୭ଟି ବାର୍ ମ୍ୟୁଜିକାଲ୍ ପ୍ରୋଗ୍ରାମ କରିବାକୁ ଅନୁମତି ପାଇଛନ୍ତି। ସେଗୁଡ଼ିକ ହେଲା, ରେନ ଦ କ୍ଲବ୍, ଦୀପାଳି ଇଣ୍ଟରନ୍ୟାସନାଲ୍, ଅଶୋକା, ସ୍ୱାଗତ, ଲିଭ୍ ଇଟ୍-ଅପ୍, ଓଆଇସିସ୍, ଗ୍ରିନ୍ ଫିଲଡ୍ ପ୍ରମୁଖ। କିନ୍ତୁ ରାଜଧାନୀରେ ଚାଲୁଥିବା ଅନ୍ୟ ଡ୍ୟାନ୍ସ ବାର୍ଗୁଡ଼ିକ ଉପରେ କେବେ ବି ଚଢ଼ଉ ହେଉନାହିଁ। ଏ ନେଇ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି କୁହାଯାଇଛି। ଏଠାରେ ପ୍ରକାଶ ଥାଉ କି, ଦୁଇ ଦିନ ତଳେ କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ଟି ବାର୍ ଲାଇସେନ୍ସ ରଦ୍ଦ କରିବାକୁ ଅବକାରୀ ବିଭାଗକୁ ଚିଠି କରାଯିବ ବୋଲି କୁହାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us