ଅସ୍ତ୍ର ନକଲି ଆପ୍ ଓ ୱେବ୍‌ସାଇଟ୍‌: ୮ ଜଣଙ୍କର ୩୦ ଲକ୍ଷ ଚଳୁ

ଅନ୍ତଃରାଜ୍ୟ ଠକ ବିରଞ୍ଚି ଆଚାର୍ଯ୍ୟ ନାଁରେ ପୁଣି ଅଭିଯୋଗ

ଅସ୍ତ୍ର ନକଲି ଆପ୍ ଓ ୱେବ୍‌ସାଇଟ୍‌: ୮ ଜଣଙ୍କର ୩୦ ଲକ୍ଷ ଚଳୁ

ଭୁବନେଶ୍ବର: ଚାକିରି ଦେବା ନାଁରେ ଓ ଠିକାରେ ସରକାରୀ କାମ ଦେବା ବାହାନାରେ ଜାଲିଆତି କରି କୋଟି କୋଟି ଟଙ୍କା ଚଳୁ କରିଥିବା କୁଖ୍ୟାତ ଅନ୍ତଃରାଜ୍ୟ ଠକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି। ଏବେ ନିକଟରେ ସେ ଜେଲ୍‌ରୁ ଜାମିନ୍‌ରେ ଆସିଥିବା ବେଳେ ପୁଣି ତା’ ବିରୋଧରେ ବଡ଼ ଠକେଇ ଅଭିଯୋଗ ହୋଇଛି। ବିଭିନ୍ନ ଜିଲ୍ଲାରେ ପରିମଳ ବ୍ୟବସ୍ଥାର ସର୍ବେକ୍ଷଣ କାମ ଠିକାରେ ଦେବା ବାହାନାରେ ବିରଞ୍ଚି ପୁଣି ୮ ଜଣଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ବଡ଼କଥା ହେଉଛି ଚୂନ ଲଗାଇବା ପାଇଁ ଧୂର୍ତ୍ତ ବିରଞ୍ଚି ନକଲି ଆପ୍ ଓ ୱେବ୍‌ସାଇଟ୍‌କୁ ଅସ୍ତ୍ର କରିଥିବା ଜଣାପଡ଼ିଛି।

ଭଦ୍ରକ ଟାଉନ୍‌ ବାସିନ୍ଦା ଆର୍ଯ୍ୟବ୍ରତ ତ୍ରିପାଠୀ ଭରତପୁର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଠିକାଦାର ହିସାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ସର୍ବେକ୍ଷଣ କାମ ଟେଣ୍ଡରରେ ଆଣି କରନ୍ତି। ଅନେକ ସମୟରେ ବଡ଼ବଡ଼ କମ୍ପାନି ପାଖରୁ ସେୟାରିଂରେ କାମ ନେଇ କରନ୍ତି। ଗତବର୍ଷ ଜୁନ୍‌ରେ ସେ ଏକ ଆପ୍‌ରୁ ଦିବ୍ୟାଙ୍ଗ ସର୍ବେକ୍ଷଣ କାମ ବାବଦରେ ଜାଣିବାକୁ ପାଇଥିଲେ। ଅନନ୍ତ ଟେଲ୍‌ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍(ଏଟିପିଏଲ୍) ଏହି କାମ ପାଇଁ କେନ୍ଦ୍ର ସରକାରଙ୍କଠାରୁ କାର୍ଯ୍ୟାଦେଶ ପାଇଥିବା ଜାଣିଥିଲେ। ଅନ୍‌ଲାଇନ୍‌ରେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବା ପରେ ବିରଞ୍ଚି ଫୋନ୍ ଉଠାଇଥିଲେ ଓ ତାଙ୍କୁ କୋଳଥିଆ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏଟିପିଏଲ୍ କାର୍ଯ୍ୟାଳୟକୁ ଡାକିଥିଲେ। ଆର୍ଯ୍ୟବ୍ରତ କୋଳଥିଆ ଏଟିପିଏଲ୍‌ କାର୍ଯ୍ୟାଳୟରେ ପହଞ୍ଚି ବିରଞ୍ଚି ସହ ଆଲୋଚନା କରଥିଲେ।

୧୫ପ୍ରତିଶତ କମିସନରେ ବିଭିନ୍ନ ଜିଲ୍ଲାରେ ପରିମଳ ବ୍ୟବସ୍ଥା ସର୍ବେକ୍ଷଣ କରିବା କାର୍ଯ୍ୟାଦେଶ ଉପରେ ସେମାନେ ଆଲୋଚନା କରିଥିଲେ। ଅଗ୍ରୀମ ବାବଦରେ ୭ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ବିରଞ୍ଚି କହିଥିଲା। ଆର୍ଯ୍ୟବ୍ରତଙ୍କ ସହିତ ବାଲେଶ୍ବରର ଜୟଦେବ ବେହେରା ଓ ନିତ୍ୟାନନ୍ଦ ବେହେରା ମଧ୍ୟ ଏନେଇ ଚୁକ୍ତି କରିଥିଲେ। ପ୍ରାୟ ୨ମାସ ସର୍ବେକ୍ଷଣ କାମ ପରେ ବିରଞ୍ଚି ତାଙ୍କୁ ଲକ୍ଷେ ଟଙ୍କା ଦେଇଥିଲା। ପରେ ଆଉ ଧରାଛୁଆଁ ଦେଇନଥିଲା। ଚୁକ୍ତି ଅନୁସାରେ ଟଙ୍କା ନପାଇ ଆର୍ଯ୍ୟବ୍ରତ କୋଳଥିଆ ଅଫିସ ଧାଇଁବା ପରେ ତାଙ୍କ ଭଳି ଆହୁରି ଅନେକ ଲୋକ ଧୂର୍ତ୍ତ ବିରଞ୍ଚି ଜାଲରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ଅନୁସା‌ରେ, ଧୂର୍ତ୍ତ ବିରଞ୍ଚି ଯାଜପୁରର ଅମରେଶଙ୍କଠାରୁ ୮ଲକ୍ଷ, ଦଶରଥପୁରର ଗୁଡୁଙ୍କଠାରୁ ୫୦ହଜାର ଟଙ୍କା, ଭୋଗରାଇର କରୁଣାକର ଭୋଇଙ୍କଠାରୁ ଦେଢ଼ଲକ୍ଷ, ସୁନ୍ଦରଗଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କଠାରୁ ଦେଢ଼ଲକ୍ଷ, ଚିଲିକାର କଲ୍ୟାଣୀଙ୍କଠାରୁ ୫ଲକ୍ଷ ଓ ଝାରସୁଗୁଡ଼ାରୁ ୩ଲକ୍ଷ ଟଙ୍କା ଠକେଇ କରିଛି। ସମସ୍ତ ଅଭିଯୋଗକାରୀଙ୍କୁ ଜାଲ୍ କାର୍ଯ୍ୟାଦେଶ ଦେଇ ଅଗ୍ରୀମ ବାବଦରେ ଟଙ୍କା ନେଇଛି। ଅଭିଯୋଗକାରୀମାନଙ୍କ କହିବା କଥା, ବିରଞ୍ଚି ଯେଉଁ ଆପ୍ ଓ ୱେବ୍‌ସାଇଟ୍ କରିଥିଲା, ସେସବୁ ନକଲି ଥିଲା। ସେମାନେ କାର୍ଯ୍ୟାଦେଶ ପାଇବାର ୨ମାସ ପରେ ଉକ୍ତ ଆପ୍ ଓ ୱେବ୍‌ସାଇଟ୍ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe