ଶ୍ରୀଲିଙ୍ଗରାଜ ମନ୍ଦିରରେ ଅମିତ ଶାହ: ଜଳଲାଗି କଲେ, ଅଭିଯୋଗ ଶୁଣିଲେ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଅମିତ ଶାହ: ଜଳଲାଗି କଲେ, ଅଭିଯୋଗ ଶୁଣିଲେ

ପୁରୁଣା ଭୁବନେଶ୍ବର: ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ପାଇଁ ଅମିତ ଶାହ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୫ ଓ ୨୦୧୭ ମସିହାରେ ଭୁବନେଶ୍ବର ଗସ୍ତ କାଳରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ବି ଆଜିର ଠାକୁର ଦର୍ଶନ ଥିଲା ନିଆରା। କାରଣ ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର ଓ ପ୍ରଭୁଙ୍କଠାରେ ଜଳଲାଗି କରିବାର ପ୍ରକୃଷ୍ଟ ସମୟ। ମନ୍ଦିରରେ ପ୍ରାୟ ୨୦ ମିନିଟ୍‌ର ରହଣି ଅବଧି ଭିତରେ ଶ୍ରୀ ଶାହ ଲିଙ୍ଗରାଜଙ୍କୁ ଜଳଲାଗି କରିବା ସହ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ସେବାୟତମାନଙ୍କ ଅଭିଯୋଗ ଶୁଣିଥିଲେ। ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ।

ସେ ପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ। ତା’ପରେ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେ ଜଳାଭିଷେକ କରିବା ସହ କ୍ଷୀର ଲାଗି କରିଥିଲେ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ବେଢ଼ା ପରିକ୍ରମା କରି ମା’ ପାର୍ବତୀ ଓ ଭୁବନେଶ୍ବରୀଙ୍କ ଦର୍ଶନ କରିଥିଲେ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥି‌ଲେ।

ସ୍ବତନ୍ତ୍ର ଆଇନ ବାବଦରେ କହିଲେ ସେବାୟତ

ଶ୍ରୀ ଶାହ ଗର୍ଭଗୃହରେ ପୂଜା ସାରିବା ପରେ ସେବାୟତମାନେ ତାଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତରେ କହିଥିଲେ। ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇ ଓଡ଼ିଶା ରାଜ୍ୟପାଳଙ୍କୁ ଫେରାଇ ଦେଇଛନ୍ତି ବୋଲି ସେମାନେ କହିଥିଲେ। କିନ୍ତୁ ଉକ୍ତ ଅଧ୍ୟାଦେଶ ଦ୍ବାରା ମନ୍ଦିରର ବିକାଶ ହେବା ସହ ସେବାୟତମାନଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ସେମାନେ କହିଥିଲେ। ତେଣୁ ସେ ନିଜେ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତମାନେ ଅନୁରୋଧ କରିଥିଲେ। ସବୁ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ଶାହ ପଦକ୍ଷେପ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe