ମ୍ୟାଡ୍‌ମୁଲ୍‌ରେ ଗ୍ରାହକଙ୍କୁ ଆକ୍ରମଣ ମାମଲା: ବାଉନସର୍‌ ଠିକାଦାର ଗିରଫ

୫୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ମୋହିନୀ ବସ୍ତିରୁ ମହିଳା ଗିରଫ

ଭୁବନେଶ୍ବର: ଖାରବେଳନଗର ଥାନା ଅଧୀନସ୍ଥ ମ୍ୟାଡ୍‌ମୁଲ୍ ପବ୍‌ରେ ଜଣେ ଗ୍ରାହକଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳର ପଦିଆ ସାହୁ। ପଦିଆ ଜଣେ ବାଉନସର୍‌ ଠିକାଦାର ବୋଲି ପୁଲିସ୍‌ ସୂଚନା ଦେଇଛି। ତେବେ ଏହି ମାମଲାରେ ସିଧାସଳଖ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଗିରଫ କରିପାରିନାହିଁ।

ପୁଲିସ ସୂଚନାନୁସାରେ, ପଦିଆ ରାଜଧାନୀର ଜଣେ ଜଣାଶୁଣା ବାଉନ୍‌ସର ଠିକାଦାର। ରାଜଧାନୀର ବିଭିନ୍ନ ବାର, ପବ୍‌, ଅଫିସ୍‌ ଓ ବିଲଡର୍‌ମାନଙ୍କୁ ସେ ବାଉନ୍‌ସର ଯୋଗାଉଛି। ମାତ୍ର ତା’ ବାଉନ୍‌ସରମାନେ କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା କରିବା ବଦଳରେ ଓଲଟା ଗଣ୍ଡଗୋଳ କରିବା ନଜିର ରହିଛି। ଏମିତିକି ପଦିଆ ପ୍ରରୋଚନା‌ରେ ତା’ ବାଉନ୍‌ସରମାନେ ଗଣ୍ଡଗୋଳ କରିବା ଅଭିଯୋଗ ରହିଛି। ତେଣୁ ପଦିଆ ନାମରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ଆର୍ଯ୍ୟବେଦାନ୍ତ ତାଙ୍କ ବନ୍ଧୁଙ୍କ ସହ ମ୍ୟାଡ୍‌ମୁଲ୍ ପବ୍‌କୁ ଯାଇଥିଲେ। ସେଠାରେ ମଦ ପିଉଥିବା ସମୟରେ କୌଣସି କାରଣରୁ ପବ୍‌ର ବାଉନ୍‌ସର ପପୁ ମଙ୍ଗରାଜ ସହ ଆର୍ଯ୍ୟଙ୍କର ବଚସା ହୋଇଥିଲା। ବାଉନ୍‌ସର ପପୁ ତା’ ଲିଡର୍‌ ତଥା ଠିକାଦାର ପଦିଆକୁ ଫୋନ୍ କରି ଏହା ଜଣାଇଥିଲା। ଠିକାଦାର ହିସାବରେ ପଦିଆ ଉକ୍ତ ଗଣ୍ଡଗୋଳକୁ ଶାନ୍ତିଶୃଙ୍ଖଳାର ସହ ସମାଧାନ କରି ଦେବା କଥା। ମାତ୍ର ଓଲଟା ପଦିଆ ପବ୍‌କୁ ଆହୁରି ଅଧିକ ୫ଜଣ ବାଉନ୍‌ସର ପଠାଇଥିଲା ଓ ତା’ ପିଲାଙ୍କ ସହ ଗଣ୍ଡଗୋଳ କରିଥିବା ଗ୍ରାହକକୁ ପିଟିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ଲିଡର୍‌ଙ୍କ ନିର୍ଦ୍ଦେଶ ପାଇ ବାଉନ୍‌ସରମାନେ ପବ୍‌ରେ ପହଞ୍ଚି ଆର୍ଯ୍ୟଙ୍କୁ ଖୋଜିଥିଲେ ଓ ଆକ୍ରମଣ କରିଥିଲେ। ଆକ୍ରମଣରେ ଆର୍ଯ୍ୟଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସୌଭାଗ୍ୟକୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଏହା ପରେ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ଗୁରୁତର ଅବସ୍ଥାରେ ଆର୍ଯ୍ୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତଥାପି ପଦିଆର ରାଗ ଥମି ନଥିଲା। ସେ ତା’ର ୪ସହଯୋଗୀଙ୍କ ସହ ହସ୍ପିଟାଲରେ ପହଞ୍ଚି ପୁଣି ଆର୍ଯ୍ୟଙ୍କୁ ଧମକ ଦେଇଥିଲା। ପୁଲିସ୍‌‌‌ରେ ଅଭିଯୋଗ କଲେ ଜୀବନରେ ମାରି ଦେବ ବୋଲି ଧମକ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe