ରୋଗୀ ମୃତ୍ୟୁରୁ କୋଭିଡ୍‌ ହସ୍ପିଟାଲ୍‌ରେ ତୁମୁଳକାଣ୍ଡ : ସୁପରଭାଇଜର୍‌ଙ୍କୁ ଆକ୍ରମଣ, ୨ ମାସରେ ଗଲାଣି ୫୧ ମୁଣ୍ଡ

ରାଜ୍ୟର ୧୨% କରୋନା ମୃତ୍ୟୁ ରାଜଧାନୀ‌ରେ

ବାଲିଅନ୍ତା : ବାଳକାଟିସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ଧ‌ସେଇ ପଶି ଗଣ୍ଡଗୋଳ କରିଥିଲେ ଓ ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ହସ୍ପିଟାଲର ସୁପରଭାଇଜର୍‌ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏ ନେଇ ହସ୍ପିଟାଲ ପକ୍ଷରୁ ବାଲିଅନ୍ତା ଥାନା କିମ୍ବା ବାଳକାଟି ଫାଣ୍ଡିରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଦୁଇ ମାସ ମଧ୍ୟରେ ଏହି ହସ୍ପିଟାଲରେ ୫୧ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିଲା ଓ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ବୋଲି ଚର୍ଚ୍ଚା ହେଉଛି।

ସୂଚନାନୁସାରେ, ଆଜି ଏହି ହସ୍ପିଟାଲରେ ୨ ଜଣ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଉଭୟ ମୃତକ ପୁରୁଷ ଏବଂ ଦୁହେଁ ଗତ ସପ୍ତାହରେ ଏଠାରେ ଭର୍ତି ହୋଇଥିଲେ। ମୃତକଦ୍ବୟଙ୍କ ମଧ୍ୟରେ ଜଣକ ଘର ଝାରପଡ଼ା ହଳଦୀପଡ଼ିଆ ଅଞ୍ଚଳ‌ରେ। ଉକ୍ତ ମୃତକଙ୍କ ସଂପର୍କୀୟମାନଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତରଖାନାରେ ଭର୍ତି ହେଲା ବେଳେ ତାଙ୍କ ଅବସ୍ଥା ଭଲ ଥିବାରୁ ତାଙ୍କୁ ତୃତୀୟ ଓ ଚତୁର୍ଥ ମହଲାର ସାଧାରଣ ଶଯ୍ୟାରେ ରଖାଯାଇଥିଲା। ଏମିତିକି ଧୀରେ ଧୀରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଉଥିଲା। ହେଲେ ଆଜି ସକାଳେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ହସ୍ପିଟାଲ୍‌ ପକ୍ଷରୁ ସେମାନଙ୍କୁ ଫୋନ୍‌ କରାଯାଇଥିଲା। ଗତକାଲି ରାତିରେ ବେଶ୍ ଭଲ ଥିବା ରୋଗୀ ସକାଳୁ ମୃତ୍ୟୁବରଣ କରିବା ଖବରକୁ ସଂପର୍କୀୟମାନେ ସହଜରେ ଗ୍ରହଣ କରିପାରିନଥିଲେ। ତେଣୁ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ଓ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ତେଣୁ ମୃତକଙ୍କ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ଡାକ୍ତରଖାନା ଭିତରେ ଧସେଇ ପଶିଥିଲେ ଓ ସୁପରଭାଇଜରଙ୍କୁ ମାଡ଼ ମାରିଥିଲେ। ଏହି ଗଣ୍ଡଗୋଳରେ ହଳଦୀପଡ଼ିଆ ଲୋକଙ୍କ ସହ ଅନ୍ୟ ମୃତକଙ୍କ ସମ୍ପର୍କୀୟମାନେ ସାମିଲ୍‌ ହୋଇଥିଲେ।

ମେଣ୍ଢାଶାଳରେ ୫ ୱାର୍ଡ ସଭ୍ୟ ପଜିଟିଭ୍‌
ମେଣ୍ଢାଶାଳ : ଭୁବନେଶ୍ୱର ବ୍ଲକ ମେଣ୍ଢାଶାଳ ପଞ୍ଚାୟତର ୫ୱାର୍ଡ ସଭ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଥିବାରୁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ଆଜି ପଜିଟିଭ୍‌ ରିପୋର୍ଟ ଆସିବା ପରେ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସେମାନଙ୍କୁ ଆବଶ୍ୟକ ଔଷଧପତ୍ର ଯୋଗାଇ ଦିଆଯିବ ବୋଲି ସରପଞ୍ଚ ମମତା ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe