DNA India
ଭୁବନେଶ୍ବର : ସରକାରୀ ଜାଗାକୁ ନେଇ ୟୁନିଟ୍-୮ ଯୋଗୀ ସାହିରେ ୨ ପଡ଼ୋଶୀଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ଏଥିରେ ଯୋଗୀ ସାହିର ଘନଶ୍ୟାମ ନାଥଙ୍କ ହାତ ଭାଙ୍ଗିଯାଇଥିବା ବେଳେ ତାଙ୍କ ମୁହଁ ଫାଟିଯାଇଛି। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ଘନଶ୍ୟାମଙ୍କ ଅଭିଯୋଗ ଅନୁଯାୟୀ, ଯୋଗୀ ସାହିରେ ଥିବା ସରକାରୀ ଜାଗାକୁ ସେ ଦୀର୍ଘ ବର୍ଷ ହେବ ଦଖଲରେ ରଖିଥିଲେ। ସେ ଜାଗାରେ ସାହିର ଅନ୍ୟ ଲୋକ ଘର କରିବା ପାଇଁ ତାଙ୍କ ସହ ମାର୍ପିଟ୍ କରୁଥିଲେ। ଗତକାଲି ସେହି ଜାଗାରେ ଗାତ ଖୋଳି କିଛି ଲୋକ ଘର କାମ ଆରମ୍ଭ କରୁଥିବା ବେଳେ ଘନଶ୍ୟାମ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପଡ଼ୋଶୀ ପରିବାରର ୮ରୁ ୧୦ଜଣ ଲୋକେ ତାଙ୍କୁ ଘେରି ନିସ୍ତୁକ ପିଟିଥିଲେ। ଅପରପଟେ ପଡ଼ୋଶୀ ପରିବାର ମଧ୍ୟ ଥାନାରେ ଏନେଇ ପାଲଟା ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବୋହୂ ଘର ନିକଟରେ ଥିବା ଜାଗାରେ ବାସନ ମାଜୁଥିବା ବେଳେ ଘନଶ୍ୟାମ ନିଶାସକ୍ତ ଅବସ୍ଥାର ଆସି ତାଙ୍କୁ ଟଣାଓଟରା କରିଥିଲେ। ପରେ ମହିଳା ପରିବାର ଲୋକଙ୍କୁ ଡାକିବାବାରୁ ସେଠାରେ ଧସ୍ତାଧସ୍ତି ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଥିବାରୁ ଘନଶ୍ୟାମ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ହାତ ଭାଙ୍ଗିଯାଇଥିଲା। ଅଭିଯୋଗକୁ କେନ୍ଦ୍ର କରି ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us