ସହିଦନଗରରେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଅପରାଧୀ କୋଉଠି ଅନ୍ତର୍ଦ୍ଧାନ?

ବର୍ଷ ଆରମ୍ଭରୁ ରାଜଧାନୀରେ ରକ୍ତର ହୋଲି: ମହିଳାଙ୍କୁ ହାଣିଲା, ଲୁଟିଲା; ଫେରାର୍ ହୋଇଗଲା

India Today

ଭୁବନେଶ୍ୱର : ସ୍ପଷ୍ଟ ଦିବାଲୋକରେ ରାଜଧାନୀର ଏକ ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ହାଣି ପକାଇଲା। ଲୁଟ୍‌ପାଟ୍‌ କରି ଖସି ପଳାଇଲା। ମାମଲାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲେ ବି ଦୁର୍ବୃତ୍ତର ପତ୍ତା ମିଳୁ ନାହିଁ। ଏତେ ସମୟ ପରେ ବି ଦୁର୍ବୃତ୍ତ କୋଉଠି ଅନ୍ତର୍ଦ୍ଧାନ ହୋଇଯାଇଛି, ପୁଲିସ ଜାଣିପାରୁନାହିଁ। ବୁଧବାର ମଧ୍ୟାହ୍ନରେ ସହିଦ ନଗର ଜଗନ୍ନାଥନଗର ଲେନ୍‌-୪ ଅଞ୍ଚଳରେ ଘଟିଥିବା ଏହି ମାମଲାକୁ ନେଇ କମିସନରେଟ୍‌ ପୁଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ବୃତ୍ତର ପ୍ରାଣାନ୍ତକ ଆକ୍ରମଣରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ଗୀତାଞ୍ଜଳି ପାଲଟାସିଂହ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୁସ୍ଥ ହେବା ପରେ ପୁଲିସ ତାଙ୍କଠାରୁ ସୂଚନା ଆଦାୟ କରି ଦୁର୍ବୃତ୍ତ ନିକଟରେ ପହଞ୍ଚିବ ବୋଲି ଆଶା ବାନ୍ଧିଥିବା ଜଣାପଡ଼ିଛି।

publive-image

ବୁଧବାର ଘଟଣା ଘଟିଥିଲା ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ। ଦୁର୍ବୃତ୍ତ ଜଣକ ଦୁଇ ମହଲା କୋଠାର ଉପର ମହଲାରେ ରହୁଥିବା ଗୀତାଙ୍କ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୀତା ଚଟାଣରେ ପଡ଼ିଥିବା ବେଳେ ଦୁର୍ବୃତ୍ତ ତାଙ୍କ ସୁନାଗହଣା ଲୁଟି ଫେରାର୍ ହୋଇଯାଇଥିଲା। ଗୀତାଙ୍କ ଚିତ୍କାର ଶୁଣି ଲୋକେ ଏକାଠି ହେବା ବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଧାଇଁ ଧାଇଁ ପଳାଇଥିଲା। ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଜଣେ ଦୁର୍ବୃତ୍ତ ଖସିଗଲା, ଅଥଚ କେହି ତାକୁ ଅଟକାଇ ପାରିଲେନି। ସେହିଭଳି ସହିଦନଗର ସାରା ଏତେ ସିସିଟିଭି ଥିବା ସତ୍ତ୍ବେ ଦୁର୍ବୃତ୍ତ କେଉଁ କ୍ୟାମେରାରେ କଏଦ ହୋଇଛି, ଜଣାପଡ଼ିନାହିଁ। ରାଜଧାନୀରେ ଘଟିଥିବା ଏଭଳି ଏକ ସମ୍ବେଦନଶୀଳ ମାମଲାର ପର୍ଦ୍ଦାଫାସ ହେବା ବିଳମ୍ବ ହେଉଥିବାରୁ ପୁଲିସ ବ୍ୟବସ୍ଥା ପ୍ରତି ସାଧାରଣରେ କିଭଳି ‌ଭରସା ରହିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe