ବସ୍ତି ଭିତରେ ପଶି ସଂଘବଦ୍ଧ ଆକ୍ରମଣ

୨ ଗୁରୁତର, ୩ ଗିରଫ

ବସ୍ତି ଭିତରେ ପଶି ସଂଘବଦ୍ଧ ଆକ୍ରମଣ

Times of India

ଭୁବନେଶ୍ୱର: ଏକ ମୋବାଇଲ୍‌ ଚୋରି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଲିଙ୍ଗରାଜ ଥାନା ସାମନ୍ତରାପୁର ‌ଚେକ୍‌ଗେଟ୍‌ ବସ୍ତିରେ ପଶି ୨ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ପ୍ରାୟ ୧୫/୨୦ ଜଣ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଆହତ ୨ ଯୁବକ ହେଲେ କେଶବ ରେଡ୍ଡୀ(୨୫) ଓ ଗୋବିନ୍ଦ ରେଡ୍ଡୀ(୨୨)। ଏହି ମାମଲାରେ ପୁଲିସ ସାମନ୍ତରାପୁର ଅଞ୍ଚଳର କୁଶ ଡୋରା(୩୪)କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ନାବାଳକଙ୍କୁ ଖୋର୍ଦ୍ଧା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିକଟରେ ହାଜର କରାଇଛି। ତେବେ ଗତକାଲିଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ସୂଚନାନୁଯାୟୀ ଗତ ବୁଧବାର ଦିନ କପିଳେଶ୍ବର ଅଞ୍ଚଳର ଜଣେ ନାବାଳକଙ୍କ ମୋବାଇଲ୍‌ ସାମନ୍ତରାପୁର ନିକଟରେ ହଜିଯାଇଥିଲା। କୌଣସି ସୂତ୍ରରୁ ସେ ଜାଣିବାକୁ ପାଇଲେ ଯେ ମୋବାଇଲ୍‌ଟି ଚେକ୍‌ଗେଟ୍‌ ବସ୍ତିର କେଶବ ପାଖରେ ରହିଛି। ତେଣୁ ଗୁରୁବାର ଦିନ ନାବାଳକଜଣକ କେଶବକୁ ମୋବାଇଲ୍‌ ସମ୍ପର୍କରେ ପଚାରିଥିଲା। କେଶବ ମୋବାଇଲ୍‌ ପାଇନଥିବା କହିଥିଲେ। ଗତକାଲି ପୁଣି ନାବଳକଜଣକ କେଶବଙ୍କୁ ମୋବାଇଲ୍‌ ଚୋରି ସମ୍ପର୍କରେ ପଚାରିଥିଲା। ଫଳରେ କେଶବ ରାଗି ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନାବାଳକଜଣକ ଏକୁଟିଆ ଥିବାରୁ ଫେରି ଆସିଥିଲା। ଗତକାଲି ରାତିରେ ନାବାଳକଜଣକ ସାଙ୍ଗରେ ପ୍ରାୟ ୨୦ ଜଣଙ୍କୁ ଧରି ଚେକ୍‌ଗେଟ୍‌ ବସ୍ତିରେ ପଶିଥିଲେ। ସେମାନେ କେଶବକୁ ନିର୍ଘାତ୍‌ ମାଡ଼ ମାରିଥିଲେ।

ଏହା ଦେଖି ଗୋବିନ୍ଦ ଆଗକୁ ଆସି ସେମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ହୋଇଥିଲା। ବସ୍ତି ଭିତରେ ବାହାର ଲୋକଙ୍କ ସଂଘବଦ୍ଧ ଆକ୍ରମଣ ଦେଖି ବସ୍ତିବାସିନ୍ଦାମାନେ ମିଳିତ ଭାବେ ବିରୋଧ କରିଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ହୋଇଯାଇଥିବା ଯୁବକ ଓ ନାବାଳକମାନେ ବସ୍ତି ଲୋକଙ୍କୁ ଢେଲା ମାଡ଼ କରିବା ସହ ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିଲେ। ଏମିତିକି ସେମାନେ ମହିଳାମାନଙ୍କୁ ମଧ୍ୟ ଛାଡ଼ିନଥିଲେ। ଢେଲାମାଡ଼ରେ ବସ୍ତିଲୋକମାନେ ଖଣ୍ଡିଆଖାବରା ହୋଇଯାଇଥିଲେ। କେଶବଙ୍କ ମୁଣ୍ଡ, ବେକ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୋବିନ୍ଦଙ୍କ ବେକ ଓ ହାତରେ କ୍ଷତ ହୋଇଛି। ଆକ୍ରମଣକାରୀମାନେ ଫେରିଯିବା ପରେ ଆହତମାନଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଥିଲେ। ପରେ ପୁଲିସ ୨ ନାବାଳକଙ୍କ ସମେତ କୁଶକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe