ଲୋକଙ୍କୁ ହାଣିଲେ, ଦୋକାନ ଭାଙ୍ଗିଲେ

Advertisment

ଦୁଇ ଅଭିଯୁକ୍ତ ଗିରଫ, କାର, ଖଣ୍ଡା, ଲୁହା ପାଇପ୍‌ ଜବତ

ଦୁଇ ଅଭିଯୁକ୍ତ ଗିରଫ, କାର, ଖଣ୍ଡା, ଲୁହା ପାଇପ୍‌ ଜବତ

ଲୋକଙ୍କୁ ହାଣିଲେ, ଦୋକାନ ଭାଙ୍ଗିଲେ

ଭୁବନେଶ୍ବର: ଯାହାକୁ ପାରିଲେ ତାକୁ ଖଣ୍ଡାଧରି ଗୋଡ଼ାଇଲେ। ଦୋକାନରେ ଥିବା ଥଣ୍ଡା ବୋତଲ ଭାଙ୍ଗିଲେ। ଲୋକଙ୍କୁ ଗାଳିଗୁଲଜ କଲେ। ମଞ୍ଚେଶ୍ବର ରୟାଲ ସାଇନ୍ସ କଲେଜ୍‌ ସମ୍ମୁଖରେ ଏଭଳି ଆତଙ୍କ ଖେଳାଇଥିବା ଦୁଇ ଯୁବକଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଳାସୁଣି ପ୍ରାଚୀବିହାର ଅଞ୍ଚଳର ରାକେଶ ରଞ୍ଜନ ମହାନ୍ତ ଓରଫ ପିଣ୍ଟୁ(୩୫) ଓ ଜଗନ୍ନାଥ ଲେପର୍ସି କଲୋନିର ଅଜିତ ଗିରି ଓରଫ ବାଦଲ(୨୧)। ପୁଲିସ ସେମାନଙ୍କଠାରୁ ଗୋଟିଏ ନାଲି ରଙ୍ଗର ସ୍ବିଫ୍ଟ କାର, ଖଣ୍ଡା, ପାଇପ୍‌ ଏବଂ ଦୁଇଟି ମୋବାଇଲ୍‌ ଜବତ କରିଛି।

ସୂଚନା ମୁତାବକ, ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ପିଣ୍ଟୁ ଓ ଅଜିତ୍‌ ରୟାଲ ଯୁକ୍ତ ଦୁଇ ସାଇନ୍ସ କଲେଜ ନିକଟରେ ଥିବା ଏକ ଦୋକାନକୁ ଆସିଥିଲେ। ଉଭୟ ଏକ ସ୍ବିଫ୍ଟ କାର୍‌ରୁ ବାହାରି ଅଚାନକ ଚା’ ଦୋକାନୀଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏହାପରେ ଦୋକାନରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଯିଏ ପ୍ରତିବାଦ କଲା କି ଦୋକାନ ସମ୍ମୁଖକୁ ଆସିଲା ତାକୁ ଖଣ୍ଡା ଧରି ହାଣିବାକୁ ଗୋଡ଼ାଇଲେ। ସେମାନଙ୍କ ଉପଦ୍ରବ ଦେଖି କେହି ଅଟକାଇବାକୁ ବି ସାହସ ଜୁଟାଇ ନଥିଲେ।

ହେଲେ ପ୍ରୀତମ ପ୍ରଭାତ ମଲ୍ଲ ନାମକ ଜଣେ ଯୁବକ ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ଖଣ୍ଡାରେ ହାଣିବାକୁ ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ସେ ହାତ ଦେଖାଇବାରୁ ଚୋଟ ତାଙ୍କ ହାତରେ ବାଜିଥିଲା। ଫଳରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବରପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ସେମାନେ ପିସିଆର୍‌ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ। କଳେବଳେ କୌଶଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଏନେଇ ପ୍ରୀତମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe