Wikimedia Commons
ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିନ୍ଦୁସାଗର ପୁଷ୍କରିଣୀକୁ ଠେଲି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଭାଗ୍ୟକୁ ସ୍ଥାନୀୟ ଲୋକେ ଠିକଣା ସମୟରେ ଗୁରୁତର ଯୁବକଙ୍କୁ ପାଣିରୁ ଉଦ୍ଧାର କରିବାରୁ ସେ ବଞ୍ଚି ଯାଇଛନ୍ତି। ଆହତ ଯୁବକ ହେଲେ ଗଙ୍ଗାଯମୁନା ରୋଡର ସାହିଲ୍ ମହାରଣା(୨୨)। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାହିଲ୍ଙ୍କୁ ବିନ୍ଦୁସାଗର କୂଳକୁ ଡାକିଥିଲେ। ସେଠାରେ କୌଣସି କାରଣରୁ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଆଉ ସେମାନେ ସାହିଲ୍ଙ୍କୁ ପୁଷ୍କରିଣୀ ଭିତରକୁ ଠେଲି ଦେଇ ଫେରାର୍ ହୋଇ ଯାଇଥିଲେ। ପଥରରେ ମାଡ଼ ହୋଇ ସାହିଲ୍ ସଂଜ୍ଞାହୀନ ହୋଇ ଯାଇଥିଲେ। ତେବେ କିଛି ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଶ୍ରୀଲିଙ୍ଗରାଜ ଥାନାକୁ ଖବର ଦେବା ସହ ପାଣିରେ ପଶି ସାହିଲ୍ଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୁଲିସ ନିକଟସ୍ଥ ଦୋକାନର ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି।
Follow Us