ଅଗଷ୍ଟ ବିପ୍ଳବ ଛାତ୍ର ଓ ଯୁବସମାଜକୁ ଅନୁପ୍ରେରିତ କରିଥିଲା

Advertisment
ଅଗଷ୍ଟ ବିପ୍ଳବ ଛାତ୍ର ଓ ଯୁବସମାଜକୁ ଅନୁପ୍ରେରିତ କରିଥିଲା

ଭୁବନେଶ୍ୱ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟ ଅଭିଲେଖାଗାରଠାରେ ୭୬ତମ ‘ଅଗଷ୍ଟକ୍ରାନ୍ତି ଦିବସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍‌ଘାଟନ କରି କହିଥିଲେ, ୧୯୪୭ ମସିହାରେ ପ୍ରାପ୍ତ ସ୍ୱାଧୀନତା ପୂର୍ଣ୍ଣାଙ୍ଗ ନୁହେଁ। ସ୍ୱାଧୀନତା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ଆଜିର ଯୁବସମାଜ ସେହି ପ୍ରକ୍ରିୟାରେ ନିଜକୁ ସାମିଲ କରି ଦେଶର ସମୃଦ୍ଧିରେ ସହଯୋଗ କରିବାକୁ ସେ ଆହ୍ଵାନ ଜଣାଇଥିଲେ। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗଷ୍ଟ ବିପ୍ଳବ ଛାତ୍ର ଓ ଯୁବସମାଜକୁ ଅନୁପ୍ରେରିତ କରିଥିଲା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରସନ୍ନ କୁମାର ଜେନା ଯୋଗଦେଇ ‘ଓଡ଼ିଶା ଓ ଅଗଷ୍ଟକ୍ରାନ୍ତି’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଯୋଗଦେଇ ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଦଧିଚି ସାହୁ ଓ ଶଶିଧର ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିରେ ସଙ୍ଗୀତା ପଣ୍ଡା ମଧୁବାବୁଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ। ସେହିପରି ‘ସମ୍ବାଦପତ୍ରରେ ଅଗଷ୍ଟକ୍ରାନ୍ତିର ପୂର୍ବାଭାସ ଓ ଓଡ଼ିଶାରେ ଅଗଷ୍ଟକ୍ରାନ୍ତିର ଅଭିଲେଖ’ ଶୀର୍ଷକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe