ଅଟୋଚାଳକଙ୍କ ଅଭିନବ ଯାତ୍ରୀ ସେବା: ସିଟ୍‌ ମଝିରେ ବାଡ଼, ବିନା ମାସ୍କରେ ମନା

Advertisment
ଅଟୋଚାଳକଙ୍କ ଅଭିନବ ଯାତ୍ରୀ ସେବା: ସିଟ୍‌ ମଝିରେ ବାଡ଼, ବିନା ମାସ୍କରେ ମନା

ଭୁବନେଶ୍ବର: ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପଛ ସିଟ୍‌ ମଝିରେ ବାଡ଼ ଦେଇଛନ୍ତି। ଫଳରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଯଥାସମ୍ଭବ ଦୂରତା ବଜାୟ ରହୁଛି ଓ କେହି କାହା ସଂସ୍ପର୍ଶରେ ଆସିବା ଭୟ ରହୁନାହିଁ। ସେହିଭଳି ନିଜ ସିଟ୍‌ ପଛରେ ବି ଜରିପାଲ ଟାଣି ନିଜକୁ ଯାତ୍ରୀମାନଙ୍କଠାରୁ ଦୂରେଇ ରଖିଛନ୍ତି ଚାଳକ। ଏଥି ସହିତ ବିନା ମାସ୍କରେ କାହାକୁ ଅଟୋରେ ଚଢ଼ାଉ ନାହାନ୍ତି। ଏମିତି ଅଭିନବ ଉପାୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଅଟୋ ସେବା ଯୋଗାଇ ରାଜଧାନୀ ରାଜରାସ୍ତାରେ କରୋନା ଯୋଦ୍ଧା ହିସାବରେ ପ୍ରଶଂସାର ପାତ୍ର ହୋଇଛନ୍ତି ଗଣେଶ ପଣ୍ଡା।

publive-image

କରୋନା କଟକଣା ପାଇଁ ଦୀର୍ଘ ଦୁଇ ମାସ ହେଲା ଠପ୍‌ ହୋଇ ଯାଇଥିବା ଅଟୋ ସେବା ପୁଣି ଆରମ୍ଭ ହୋଇଛି। ରାଜଧାନୀ ରାଜରାସ୍ତାରେ ପୁଣି ଯାତ୍ରୀବାହୀ ଅଟୋ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ବହୁ ଯାତ୍ରୀ ଅଟୋ ସେବାକୁ ପସନ୍ଦ କରୁନାହାନ୍ତି। ପଛ ସିଟ୍‌ରେ ଲଗାଲଗି ହୋଇ ବସିଲେ କରୋନା ସଂକ୍ରମଣ ଭୟ ରହୁଥିବାରୁ ଅଟୋ ବେପାର ମାନ୍ଦା ରହୁଛି। କିନ୍ତୁ ଏହି ଭୟକୁ ଦୂରେଇ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଗଣେଶ ଏପରି ସୁନ୍ଦର ଉପାୟ ବାହାର କରିଛନ୍ତି। ୩ବର୍ଷ ହେଲା ଅଟୋ ଚଳାଉଥିବା ଅଭିଜ୍ଞ ଗଣେଶ ସରକାରଙ୍କ ସାମାଜିକ କଟକଣା ସହ ନିଜ ଜୀବିକା ଅର୍ଜନର ମାଧ୍ୟମକୁ ବି ଗୁରୁତ୍ବ ଦେଇଛନ୍ତି। ସେ ପ୍ରତିଦିନ ସକାଳେ ଅଟୋକୁ ସାନିଟାଇଜ୍ କରିବା ପରେ ବଜାରକୁ ଆସୁଛନ୍ତି। ‘ନୋ ମାସ୍କ୍ ନୋ ସର୍ଭିସ୍‌’ ଅର୍ଥାତ୍ ବିନା ମାସ୍କ୍‌ରେ ସେବା ମିଳିବ ନାହିଁ ବୋଲି ଅଟୋରେ ଏକ ପୋଷ୍ଟର୍ ଲଗାଇଛନ୍ତି। ସେହିଭଳି ଯାତ୍ରୀ ଭଡ଼ା ବାବଦରେ ଟଙ୍କା ଦେବା ନେବା ପାଇଁ ସେ ଅନ୍‌ଲାଇନ୍ ଦେୟକୁ ପ୍ରାଧାନ୍ୟ ଦେଉଛନ୍ତି। ନଚେତ ଗାଡ଼ିରେ ରଖିଥିବା ସାନିଟାଇଜର୍‌ ଯାତ୍ରୀଙ୍କୁ ଦେଉଛନ୍ତି ଓ ସେମାନେ ହାତ ସାନିଟାଇଜ୍‌ କରିବା ପରେ ସେ ସେମାନଙ୍କଠାରୁ ଟଙ୍କା ଗ୍ରହଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବହୁ ଯାତ୍ରୀବାହୀ ଅଟୋ ପୂର୍ବଭଳି ପଛ ସିଟ୍‌ରେ ୪/୫ ଖୁନ୍ଦାଖୁନ୍ଦି କରି ନେଉଥିବା ବେଳେ ଗଣେଶ କିନ୍ତୁ କୋଭିଡ୍‌ ନିର୍ଦ୍ଦେଶାବଳିକୁ ପାଳନ କରି ୨ ଜଣ ଯାତ୍ରୀ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe