ଓ୍ଵାର୍ଡ ସଫେଇ ଉପରେ ନଜର

ଅତିରିକ୍ତ କମିସନରଙ୍କ ଅଚାନକ ପରିଦର୍ଶନ

ଓ୍ଵାର୍ଡ ସଫେଇ ଉପରେ ନଜର

ଭୁବନେଶ୍ୱର:ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ରେ ଭୁବନେଶ୍ୱରକୁ ଯେପରି ଗତବର୍ଷ ତୁଳନାରେ ଭଲ ର‍୍ୟାଙ୍କ ମିଳିବ, ସେଥିପାଇଁ ଆରମ୍ଭ ହୋଇଛି ଜୋରଦାର୍‌ ପ୍ରସ୍ତୁତି। ଓ୍ଵାର୍ଡସ୍ତରରେ ସଫେଇ କାର୍ଯ୍ୟ ତଦାରଖ କରିବାକୁ ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ କମିସନର ଶୁଭମ୍‌ ସକ୍ସେନା ଆଜି ବିଭିନ୍ନ ଓ୍ଵାର୍ଡରେ ଚଢ଼ଉ କରିଛନ୍ତି। ତିନିଟି ଯାକ ଘରୋଇ ସଂସ୍ଥା ନେଇଥିବା ବିଭିନ୍ନ ଓ୍ଵାର୍ଡରେ ଘରକୁ ଘର ବୁଲି ଲୋକଙ୍କୁ ଅଳିଆ ଠିକ୍‌ ଭାବେ ଉଠୁଛି କି ନାହିଁ, କେତେବେଳେ ଉଠୁଛି ପଚାରିବା ସହ ଚା’ ଦୋକାନ ଓ ଉଠା ଦୋକାନୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ହେଉଥିବା ସଫେଇ ବିଷୟରେ ପଚାରି ବୁଝିଛନ୍ତି। ଦୁଇଟି ସଂସ୍ଥା ଜାଗୃତି ଓ ପିଏମ୍‌ଆର୍‌ର କାର୍ଯ୍ୟ ସନ୍ତୋଷଜନକ ହୋଇଥିବା ବେଳେ ରାମ୍‌କି ସଫେଇ କାର୍ଯ୍ୟ ନେଇ ଅସନ୍ତୋଷ ଜାହିର୍‌ କରିଛନ୍ତି ଅତିରିକ୍ତ କମିସନର। ଏପରିକି ଏଥିପାଇଁ ରାମ୍‌କିର ପାଉଣା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳୁ ବିଏମ୍‌ସିରେ ନୂଆ କରି ଯୋଗ ଦେଇଥିବା ଅତିରିକ୍ତ କମିସନର୍‌ ଶୁଭମ୍‌ ସକ୍ସେନା, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ଅତିରିକ୍ତ ଲୋକସମ୍ପର୍କ ଅଧିକାରୀ ଗୋପାଳ ପାଣିଗ୍ରାହୀଙ୍କୁ ନେଇ ବିଭିନ୍ନ ଓ୍ଵାର୍ଡରେ ଅତର୍କିତ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ଆରମ୍ଭ ହୋଇଥିଲା ଓ୍ଵାର୍ଡ-୩୦ର ସହିଦନଗର ଅଞ୍ଚଳରୁ। ଏହାପରେ ଟିମ୍‌ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାରର ଓ୍ଵାର୍ଡ-୭ ଓ ଓ୍ଵାର୍ଡ-୮ ଅଞ୍ଚଳରେ। ଏଠାରେ ରାମ୍‌କି ସଫେଇ ଦାୟିତ୍ୱ ନେଇଥିବା ବେଳେ ସଫେଇ କର୍ମଚାରୀମାନେ ବିନା ସୁରକ୍ଷା ବସ୍ତ୍ରରେ ସଫେଇ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଅଧିକାଂଶ ସ୍ଥାନରେ ନିୟମିତ ସଫେଇ ହେଉନଥିବା ଏବଂ ବିଳମ୍ବରେ ଅଳିଆ ଉଠୁଥିବା ଲୋକ କହିଥିଲେ। ତେଣୁ ଏହି ସଂସ୍ଥାର ଆଜିର ପାଉଣା କାଟିବାକୁ ଅତିରିକ୍ତ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସହରର କେତେକ ପବ୍ଲିକ ଶୌଚାଳୟ ଏବଂ ହାଇବ୍ରିଡ୍‌ ଶୌଚାଳୟର ପରିମଳ ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ। ଚଳିତ ମାସ ୧୪ ତାରିଖରୁ ବିଏମ୍‌ସିର ୧୨ଜଣ ଅଧିକାରୀଙ୍କୁ ପ୍ରତି ଦୁଇ ଦିନ ବ୍ୟବଧାନରେ ୱାର୍ଡ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ପ୍ରତ୍ୟହ ରାସ୍ତା ସଫେଇ, ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ ବ୍ୟବସ୍ଥା, କେତେ ସଂଖ୍ୟକ କର୍ମଚାରୀ ଫିଲ୍‌ଡ୍‌ରେ କାର୍ଯ୍ୟରତ ଥିଲେ, ସେ ନେଇ ତଦାରଖ କରିବାକୁ କୁହାଯାଇଛି। ୱାର୍ଡ ପରିଦର୍ଶନ ପରେ ଏହାର ବିବରଣୀ ଏବଂ ପାଉଣା କାଟିବା ନେଇ ସୁପାରିସ କରିବାକୁ କୁହାଯାଇଛି। ଏହାଦ୍ୱାରା ଗତ କିଛି ଦିନ ମଧ୍ୟରେ ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟରେ ଅଗ୍ରଗତି ହୋଇଥିବା ନଜରକୁ ଆସିଥିବା ବେଳେ ସଫେଇ କର୍ମଚାରୀମାନେ ମାସ୍କ୍‌, ହ୍ୟାଣ୍ଡ୍‌ ଗ୍ଲୋବ୍‌ ଏବଂ ଆପ୍ରୋନ୍‌ ପରିଧାନ କରୁନଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe