ଚର୍ଚ୍ଚାରେ ଆୟୁର୍ବେଦିକ ମିନି ଫାର୍ମାସି: ନିମ୍ନମାନର ଔଷଧକୁ ଜଗିବ କିଏ?

Advertisment
ଚର୍ଚ୍ଚାରେ ଆୟୁର୍ବେଦିକ ମିନି ଫାର୍ମାସି: ନିମ୍ନମାନର ଔଷଧକୁ ଜଗିବ କିଏ?

www.ayushodisha.nic.in

ଭୁବନେଶ୍ବର: ରାଜଧାନୀସ୍ଥିତ ସରକାରୀ ମିନି ଆୟୁର୍ବେଦିକ ଫାର୍ମାସିରୁ ନିମ୍ନମାନର ଔଷଧ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି। ଉପକୂଳ ସମତେ ୧୫ଟି ଜିଲ୍ଲାକୁ ଏଠାରେ ପ୍ରସ୍ତୁତ ହେଉଥିବା ଔଷଧ ଯୋଗାଣ ହେଉଥିବା ବେଳେ ଜିଲ୍ଲାସ୍ତରରୁ ଏହାକୁ ନେଇ ଉଭୟ ଡାକ୍ତର ଓ ସାଧାରଣ ଜନତା ନାକ ଟେକୁଥିବା ସୂଚନା ମିଳିଛି। ମାସ ମାସ ଧରି ଏଭଳି ଔଷଧ ଯୋଗାଣ ଚାଲିଥିବା ବେଳେ ଏହାର ମାନ ପରୀକ୍ଷା ହେଉ ନ ଥିବା ଅଭିଯୋଗ ହେଉଛି। ହେଲେ ରାଜ୍ୟ ଆୟୁଷ ନିର୍ଦେଶାଳୟର ଏକ ନିଷ୍ପତ୍ତି ନିଆଁରେ ଘିଅ ଢାଳିବା ଭଳି ହୋଇଛି। ଯେଉଁ ମିନି ଆୟୁର୍ବେଦିକ ଫାର୍ମାସିରୁ ନିମ୍ନମାନର ଔଷଧ ପ୍ରସ୍ତୁତ ହେଉଥିବା ଅଭିଯୋଗ ହେଉଛି, ତାହାର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସରକାର ରାଜ୍ୟ ଡ୍ରଗ୍‌ସ ଇନ୍ସପେକ୍ଟର ଭାବେ ଦାୟିତ୍ବ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ପ୍ରସ୍ତୁତ ହେଉଥିବା ଔଷଧର ମାନ କିଭଳି ଯାଞ୍ଚ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପରିସ‌ରରେ ଏହି ମିନି ଫାର୍ମାସି ରହିଛି। ଏଠାରେ ବାଲେଶ୍ବର, ଭଦ୍ରକ, ଯାଜପୁର, ଖୋର୍ଧା, ନୟାଗଡ଼, ବୌଦ୍ଧ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାକୁ ମିଶାଇ ମୋଟ ୧୫ଟି ଜିଲ୍ଲାରୁ ଆୟୁର୍ବେଦିକ ଔଷଧ ଯୋଗାଣ କରାଯାଉଛି। ଆୟୁର୍ବେଦିକ ଔଷଧ ଭିତରେ ରହିଛି ତ୍ରିଫଳା, ତାଳସାହି ଚୂର୍ଣ୍ଣ, ଅଶ୍ବଗନ୍ଧା ବଟିକା, ଯୋଗରାଜ ଗୁଗ୍ଗୁଳ, ଅଭିପତିକର ଚୂର୍ଣ୍ଣ ଭଳି ୨୦ ପ୍ରକାରର ଔଷଧ ପ୍ରସ୍ତୁତ କରାଯାଉଛି। ମାତ୍ର ଏସବୁ ଔଷଧର ମାନ ଅତ୍ୟନ୍ତ ନିମ୍ନମାନର ରହିଥିବା ବିଭିନ୍ନ ଜିଲ୍ଲା ଡିସ୍‌ପେନସାରିରୁ ଅଭିଯୋଗ ଆସୁଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ବିଚିତ୍ର ନୀତି
ଔଷଧ ପ୍ରସ୍ତୁତ ଦାୟିତ୍ବରେ ଥିବା ଅଧିକାରୀ ଏବେ ଡ୍ରଗ୍‌ସ ଇନ୍‌ସପେକ୍ଟର

ଏପରିକି ଖୋଦ୍ ମିନି ଫାର୍ମାସି ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ୨୦୧୯/୨୦, ୨୦୨୦/୨୧, ୨୦୨୧/୨୨କୁ ମିଶାଇ ଏଠାରେ ୨କୋଟିରୁ ଉର୍ଧ୍ବ ଟଙ୍କାର ଔଷଧ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି। ନିକଟରେ ଆୟୁର୍ବେଦିକ ଡ୍ରଗ୍‌ ପରୀକ୍ଷାଗାର ମଧ୍ୟ ରହିଛି।‌ ତେବେ ଜିଲ୍ଲାରେ ଥିବା ଡିସ୍‌ପେନସାରିରେ ନିମ୍ନମାନର ଔଷଧ ପହଞ୍ଚୁଥିବା ବେଳେ ଏହି ପରୀକ୍ଷାଗାରେ କିଭଳି ଧରାପଡ଼ୁନି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିମ୍ନମାନର ଔଷଧ ପ୍ରସ୍ତୁତି ପଛରେ ଏକ ବଡ଼ ଧରଣର ଗୋଷ୍ଠୀ ସକ୍ରିୟ ଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଆୟୁର୍ବେଦିକ ଔଷଧର ଯାଞ୍ଚ ପାଇଁ ଜଣେ ଡ୍ରଗ୍‌ ଇନ୍‌ସପେକ୍ଟର ପଦବି ରହିଛି। ପୂର୍ବରୁ ଏହି ପଦବିରେ ଯେଉଁ ଅଧିକାରୀ ରହିଥିଲେ ତାଙ୍କର ସହକାରୀ ଡ୍ରଗ୍‌ କଣ୍ଟ୍ରୋଲର(ଏଡିସି) ପାହ୍ୟାକୁ ପଦୋନ୍ନତି ହୋଇଛି। ମାତ୍ର ତାଙ୍କ ସ୍ଥାନରେ ସରକାରୀ ମିନି ଫାର୍ମାସି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ରାଜ୍ୟ ଆୟୁର୍ବେଦିକ ଡ୍ରଗ୍‌ ଇନ୍‌ସପେକ୍ଟ(ଭାରପ୍ରାପ୍ତ) ଦାୟିତ୍ବ ମିଳିଛି। ଯାହାକୁ ନେଇ ଏବେ ଚାରିଆଡ଼ୁ ସମାଲୋଚନାର ସ୍ବର ଉଠିଲାଣି। ଏ ସଂପର୍କରେ ରାଜ୍ୟ ଆୟୁଷ ନିର୍ଦେଶକ ଭୂମେଶ ବେହେରା କହିଛନ୍ତି, ରାଜ୍ୟରେ ଆୟୁର୍ବେଦିକ ଡ୍ରଗ୍‌ ଇନ୍‌ସପେକ୍ଟର ପଦ ଖାଲି ପଡ଼ିବା ପରେ ବରିଷ୍ଠତା ଭିତ୍ତିରେ ମିନି ଫାର୍ମାସିର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ଏଥିରେ କିଛି ସମସ୍ୟା ନାହିଁ। ରାଜ୍ୟରେ ୧୦ ପ୍ରତିଶତ ଔଷଧ ପ୍ରସ୍ତୁତ ହେଉଥିବା ବେଳେ ୯୦ ପ୍ରତିଶତ ବାହାରୁ ଆସୁଛି। ତେଣୁ ରାଜ୍ୟରେ ଔଷଧ ଯାଞ୍ଚରେ କୌଣସି ସମସ୍ୟା ହେବନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe