ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ୍‌, ‌‌ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ

Advertisment

ଡ୍ୟୁଟି ସମୟରେ ଘରେ ବିଶ୍ରାମ ନେଉଛନ୍ତି ଜେଲର୍‌!

ଡ୍ୟୁଟି ସମୟରେ ଘରେ ବିଶ୍ରାମ ନେଉଛନ୍ତି ଜେଲର୍‌!

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ୍‌, ‌‌ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ

ଭୁବନେଶ୍ୱର: ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍‌ ମିଳିଛି। ୧୦ ହଜାର ଟଙ୍କା ଓ ଦୁଇଜଣ ଜାମିନ୍‌ଦାରଙ୍କ ବଳରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ -୪ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଏହି ଜାମିନ୍‌ ପାଇଁ ରହିଥିବା ସର୍ତ୍ତଗୁଡ଼ିକ ହେଉଛି, ପୀଡ଼ିତା ଓ ସାକ୍ଷୀଙ୍କୁ ଡରାଇବେ ନାହିଁ, ପ୍ରମାଣ ନଷ୍ଟ କରିବେ ନାହିଁ ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ। ଏଥିରେ ବ୍ୟତିକ୍ରମ ହେଲେ ଜାମିନ୍‌ ବାତିଲ ହେବ। ଶ୍ରୀ ଷଡ଼ଙ୍ଗୀଙ୍କୁ ଜାମିନ୍‌ ମିଳିବା ପରେ ଅପରାହ୍‌ଣରେ ସେ ଝାରପଡ଼ା ଜେଲ୍‌ରୁ ଫେରିଛନ୍ତି। ଏଠାରେ ସୂଚନାଯୋଗ୍ୟ, କୋଭିଡ୍‌ କଟକଣା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ସାଧାରଣ ୱାର୍ଡକୁ ନିଆ ନଯାଇ ସଙ୍ଗରୋଧ ୱାର୍ଡରେ ରଖାଯାଇଥିଲା।

ଜଣେ ମହିଳା ସହକର୍ମୀଙ୍କ ଯୌନ ନିର୍ଯାତନା ଅଭିଯୋଗ‌ରେ ଗତ ୯ ତାରିଖରେ ଶ୍ରୀ ଷଡ଼ଙ୍ଗୀଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିଲା। ଜେଲ୍‌ ହାଜତ୍‌ରେ ତାଙ୍କୁ ପାଖାପାଖି ୧୦୦ଘଣ୍ଟା ରହିବାକୁ ପଡ଼ିଲା। ନିୟମ ମୁତାବକ, କୌଣସି ସରକାରୀ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ହାଜତରେ ରହିଲେ, ସ୍ବତଃପ୍ରବୃତ୍ତ ଭାବେ ନିଲମ୍ବିତ ହୁଅନ୍ତି। କିନ୍ତୁ ତାଙ୍କୁ ସରକାରୀ ସୁରକ୍ଷା ମିଳିଛି। ନିଲମ୍ବିତ କରିବା ପୂର୍ବରୁ ସରକାର ଏକ ହାରାସ୍‌ମେଣ୍ଟ କମିଟି ଗଠନ କରି ତା’ ରିପୋର୍ଟକୁ ଅପେକ୍ଷା କରିଛନ୍ତି।

ଡ୍ୟୁଟି ସମୟରେ ଘରେ ବିଶ୍ରାମ ନେଉଛନ୍ତି ଜେଲର୍‌!
ଅନ୍ୟପଟେ ଝାରପଡ଼ା ଜେଲ୍‌ରେ ଅନିୟମିତତା ନେଇ ଆଜି ଅପରାହ୍‌ଣରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍‌ଣ ପ୍ରାୟ ୩ଟା ୧୫ରେ ଜାମିନ୍‌ ଆଦେଶ ନେଇ ଜେଲ୍‌ରେ ଶ୍ରୀ ଷଡ଼ଙ୍ଗୀଙ୍କ ଓକିଲ ପହଞ୍ଚିଥିଲେ। ସେତେବେଳେ ଜେଲର୍‌ ନଥିଲେ। ଦୀର୍ଘ ସମୟ ସେଠାରେ ଅପେକ୍ଷା କରିବା ପରେ ଓକିଲ ଓ ଜାମିନଦାର ଜେଲର୍‌ଙ୍କ କ୍ବାର୍ଟର୍ସରେ ପହଞ୍ଚିଥିଲେ। କିନ୍ତୁ ଏଥିରେ ବିରକ୍ତି ପ୍ରକାଶ କରି ଜେଲର୍‌ ସେମାନଙ୍କୁ ଫେରାଇ ଦେଇଥିଲ। ପ୍ରାୟ ଦେଢ଼ ଘଣ୍ଟା ପରେ ସେ ଜେଲ୍‌ରେ ପହଞ୍ଚିଥିଲେ। ଏଣୁ ୩ଟା ୧୫ରେ ଜାମିନ୍‌ ପାଇଥିଲେ ମଧ୍ୟ ଅଭିଯୁକ୍ତ ୫ଟା ୧୫ମିନିଟ୍‌ରେ ଜେଲ୍‌ରୁ ମୁକୁଳିଥିଲେ। ଏ ସଂପର୍କରେ ବରିଷ୍ଠ ଆଇନଜୀବୀ ତଥା ଅଭିଯୁକ୍ତଙ୍କ ଓକିଲ ବନ ମହାନ୍ତି କହିଛନ୍ତି, ସରକାରୀ ଡ୍ୟୁଟି ସମୟରେ ସେ ଘରେ କେବଳ ବିଶ୍ରାମ ନେଇନାହାନ୍ତି, ବରଂ ଓକିଲଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି। ମହକିଲଙ୍କ ପତ୍ନୀ ଜଣେ ବରି‌ଷ୍ଠ ଓଏଏସ୍‌ ଅଫିସର୍‌। ଜଣେ ବରିଷ୍ଠ ଅଧିକାରୀଙ୍କୁ ଏତେ ସମୟ ଛିଡ଼ା କରିପାରୁଥିବା ସରକାରୀ ଅଫିସର୍‌ ଅନ୍ୟ ସାଧାରଣ ଲୋକଙ୍କୁ କି’ ହଇରାଣ ନ କରୁଥିବେ? କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳାକୁ ନେଇ ଆସନ୍ତାକାଲି ସେ କାରାଗାର ନିର୍ଦ୍ଦେଶକଙ୍କୁ ଭେଟିବେ ବୋଲି ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପକ୍ଷ‌ରେ ଜେଲର୍‌ ଧୀ‌ରେନ୍‌ ବାରିକ କହିଛନ୍ତି, ମଧ୍ୟାହ୍ନ ଭୋଜନ କଲା ବେଳକୁ ୩ଟା ବାଜୁଛି। ଖାଇକି ଆସିବା ବେଳକୁ ଦେଢ଼ ଘଣ୍ଟା ଲାଗୁଛି। ରାତି ୧୦ ପରେ ଫେରୁଛୁ। ଯଦି ଏହି ଛୋଟିଆ କଥାକୁ ପ୍ରସଙ୍ଗ କରିବେ, ତେବେ କ’ଣ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe