ରାଜ୍ୟ ସଂଗ୍ରହାଳୟରେ ‘ଆଜାଦ୍ ହିନ୍ଦ୍ ଫୌଜ’ ପ୍ରତିଷ୍ଠା ଦିବସ: ନେତାଜୀ ଥିଲେ ବିରଳତମ ବ୍ୟକ୍ତିତ୍ବ

Advertisment

ଇଣ୍ଡିଆନ ନ୍ୟାସନାଲ ଆର୍ମିର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଉଦ୍‌ଘାଟିତ

ଇଣ୍ଡିଆନ ନ୍ୟାସନାଲ ଆର୍ମିର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଉଦ୍‌ଘାଟିତ

ରାଜ୍ୟ ସଂଗ୍ରହାଳୟରେ ‘ଆଜାଦ୍ ହିନ୍ଦ୍ ଫୌଜ’ ପ୍ରତିଷ୍ଠା ଦିବସ: ନେତାଜୀ ଥିଲେ ବିରଳତମ ବ୍ୟକ୍ତିତ୍ବ

ଭୁବନେଶ୍ବର: ‘ଆଜାଦ୍ ହିନ୍ଦ୍ ଫୌଜ’ ପ୍ରତିଷ୍ଠା ଦିବସ ଅବସରରେ ଇଣ୍ଡିଆନ ‌ନ୍ୟାସନାଲ ଆର୍ମି(ଆଇଏନ୍‌ଏ)ର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆଜି ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’ରେ ଆୟୋଜିତ ହୋଇଯାଇଛି। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଉଦ୍‌ଘାଟନ କରିଛନ୍ତି। ବ୍ରିଟିସ ସେନାରେ ଥିବା ଭାରତୀୟ ଯବାନ୍‌ମାନଙ୍କୁ ବ୍ରିଟିସ ସେନା ଛାଡ଼ି ଆଜାଦ୍ ହିନ୍ଦ୍ ଫୌଜରେ ଯୋଗ ଦେଇ ଭାରତ-ଜାପାନକୁ ସହାୟତା କରିବାକୁ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍‌ମାନ ଉଡ଼ାଜାହାଜ ଜରିଆରେ ବ୍ରିଟିଶ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା। ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ବିକ ଲଢ଼େଇର ଅଂଶବିଶେଷ। ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବା ବେଳେ ଏହା ଛାତ୍ର, ଶିକ୍ଷକ ଓ ଗବେଷକଙ୍କୁ ଅନେକ ତଥ୍ୟ ଯୋଗାଇପାରିବ ବୋଲି ଆଜିର ପ୍ରଦର୍ଶନୀରେ ମତ ପ୍ରକା‌ଶ ପାଇଥିଲା।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ବିରଳତମ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୁଭାଷ ବୋଷଙ୍କ ନେତୃତ୍ବ, ଦେଶଭକ୍ତି, ସାହସ ଓ ପରାକ୍ରମ ବିଷୟରେ ସୂଚନା ପ୍ରଦାନ କରି ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ବ୍ୟକ୍ତିତ୍ବ ନିଆରା ଥିଲା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଂଗ୍ରାହକ ତଥା ଇତିହାସ ଗବେଷକ ଅନୀଲ ଧୀର ମଣିପୁରରେ ନେତାଜୀଙ୍କ ଅନେକ ସ୍ମୃତି ଓ ସ୍ମାରକ ଭାରତୀୟ ଜାତୀୟ ସେନାର ଜଣେ ସେନାନୀଙ୍କ ପାଖରେ ବ୍ୟକ୍ତିଗତ ଜିମାରେ ରହିଥିବା ଦର୍ଶାଇ କିଛି ସ୍ମାରକକୁ ଓଡ଼ିଶା ଅଣାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏପରିକି ଆଜାଦ୍ ହିନ୍ଦ୍ ଫୌଜର ଜାତୀୟ ପତାକା ସେଠାରେ ଥିବା ଜଣାପଡ଼ିଛି। ତାକୁ କଟକସ୍ଥିତ ନେତାଜୀ ସଂଗ୍ରହାଳୟକୁ ଅଣାଯିବା ଏକ ସମ୍ମାନଜନକ ପଦକ୍ଷେପ ହେବ ବୋଲି କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ପରିଚାଳନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରଦର୍ଶନୀରେ ୫୦ରୁ ଅଧିକ ବିରଳ ପୋଷ୍ଟର ରହିଛି ଏବଂ ଏହା ୭ ଦିନ ଯାଏ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ଉପନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା ଓ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ନେତାଜୀଙ୍କ ରାଷ୍ଟ୍ରୀୟ ଗାନ ‘କଦମ୍ କଦମ୍ ବଢ଼ାୟେ ଚାଲ’ ପରିବେଷଣ ସହ ଆଜାଦ୍ ହିନ୍ଦ୍ ଫୌଜର ଜାତୀୟ ସଂଗୀତ ଗାନ କରାଯାଇଥିଲା।

ମାଟି ମା’ର ସ୍ୱାର୍ଥ ସୁରକ୍ଷା ପାଇଁ ଶପଥ ନେଲେ ଆଜାଦ୍ ହିନ୍ଦ୍ ବାହିନୀ ସିପାହୀ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ୧୯୪୩ ମସିହାରେ ଗଠିତ ଭାରତ ବର୍ଷର ପ୍ରଥମ ସ୍ୱାଧୀନ ସରକାର ‘ଆଜାଦ୍ ହିନ୍ଦ୍ ସରକାର’ର ୭୯ତମ ପ୍ରତିଷ୍ଠା ଦିବସ ଆଜି ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଆଜାଦ୍ ହିନ୍ଦ୍ ବାହିନୀର ସିପାହୀମାନେ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟ‌ାର୍ପଣ କରିବା ସହ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଫରୱାର୍ଡ ବ୍ଲକର ଜାତୀୟ ସଂପାଦକ ଜି.ଆର୍‌. ଶିବଶଙ୍କର ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଅତିଥି ଭାବେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଫରୱାର୍ଡ ବ୍ଲକର ଜାତୀୟ ସଂପାଦକ ଜି.ଆର୍‌. ଶିବଶଙ୍କର, ସି.ପି.ଆଇ (ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସିପିଆଇ (ଏମ୍‌ଏଲ୍‌) ଲିବରେସନର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ଓ ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ଆଦର୍ଶ ଓ କାର୍ଯ୍ୟଧାରା ଅଦ୍ୱିତୀୟ ବୋଲି କହିଥିଲେ।

ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ସାରା ପୃଥିବୀର ବ୍ରିଟିସ୍‌ ବିରୋଧୀ ଶକ୍ତିମାନଙ୍କୁ ଏକାଠି କରିଥିଲେ ନେତାଜୀ। ଫଳସ୍ୱରୂପ ଭାରତବର୍ଷର ପ୍ରଥମ ସ୍ୱାଧୀନ ସରକାର ସୁଦୂର ସିଙ୍ଗାପୁରଠାରେ ନେତାଜୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଓ ଆଜାଦ୍ ହିନ୍ଦ୍ ସରକାର ନେତୃତ୍ୱରେ ଆଜାଦ୍ ହିନ୍ଦ୍ ବାହିନୀ ସିଙ୍ଗାପୁରଠାରୁ ମୌରାଙ୍ଗ୍ ପର୍ଯ୍ୟନ୍ତ ଆସି ସେଠାରେ ପ୍ରଥମେ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ। ନେତାଜୀ ଓ ଆଜାଦ୍ ହିନ୍ଦ୍ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ବ୍ରିଟିସ୍‌ ସରକାରର ନିଦ ହଜାଇ ଦେଇଥିଲା ବୋଲି ବକ୍ତାମାନେ କହିଥିଲେ। ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତିରଂଜନ ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଆଜାଦ୍ ହିନ୍ଦ୍ ବାହିନୀର ସିପାହୀ ପ୍ରିୟାଂଶୁ କୁମାରୀ, ଦୟାନିଧି ଭୂମିୟା, ପାୟଲ କୁମାରୀ, ଭୂମିକା ଘୋଷ, ଅଭିମନ୍ୟୁ କ୍ରିଷାନି, ଲକ୍ଷ୍ମୀ ଦୋରା, ସୋମନାଥ ଖିଲ, ସାନୁ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe