ଅଶୁଭ ଶୁକ୍ରବାର, ଲୁହରେ ଭିଜିଲା ଅଭିନୟ ଜଗତ

ଅଶୁଭ ଶୁକ୍ରବାର, ଲୁହରେ ଭିଜିଲା ଅଭିନୟ ଜଗତ

ଭୁବନେଶ୍ବର: ଆଜିର ବାର(ଶୁକ୍ରବାର)ରେ କାହିଁ କେତେ ଚଳଚ୍ଚିତ୍ର ତାଙ୍କର ମୁକ୍ତିଲାଭ କରିଥିଲା। କିନ୍ତୁ ତାଙ୍କର ଏକ ଚରମ ନିଷ୍ପତ୍ତି, ସେହି ଶୁଭବାରକୁ ଶେଷରେ ଅଶୁଭ ସାବ୍ୟସ୍ତ କରିଦେଲା। ଜୀବନରେ ସବୁ କିଛି ବେଶ୍‌ ସ୍ବାଭାବିକ ଥିଲା ବେଳେ ହଠାତ୍‌ କ’ଣ ଏମିତି ଘଟିଗଲା ଯେ ସେ ଜୀବନ ଯୁଦ୍ଧ‌ରେ ଅସ୍ତ୍ର ତ୍ୟାଗ କରିବାକୁ ଶ୍ରେୟ ମଣିନେଲେ, ତାହା ଏବେ ସାଥୀ କଳାକାର ଓ ଲକ୍ଷଲକ୍ଷ ସିନେପ୍ରେମୀଙ୍କ ହୃଦୟକୁ ଆନ୍ଦୋଳିତ କରୁଛି। ଓଲିଉଡ୍‌ ଓ ଯାତ୍ରା ଜଗତରେ ଆଜି ଏତେ ବଡ଼ ଦୁର୍ଘଟଣା ଘଟିଯିବ ବୋଲି କାହାର ଧାରଣା ନଥିଲା କି ଶୁଣିବା ପରେ କେହି ଭାବି ପାରିନଥିଲେ। ପାଖାପାଖି ତିନି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ହସେଇ, କନ୍ଦେଇ ଓ ଭୟଭୀତ କରି ଆସୁଥିବା ରାଇମୋହନ ପରିଡ଼ା ମାତ୍ର ୫୯ ବର୍ଷ ବୟସରେ ଆଜି ଅଫେରା ରାଇଜକୁ ଚାଲି ଯାଇଛନ୍ତି।

ଆଜି ପୂର୍ବାହ୍ନରେ ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଆ ଅଭିନୟ ଜଗତ ସ୍ତବ୍ଧ ହୋଇଯାଇଥିଲା। ତାଙ୍କର ଶୁଭେଚ୍ଛୁ, ପ୍ରଶଂସକ କେହି ବି ଏ କଥାକୁ ସହଜରେ ବିଶ୍ବାସ କରିପାରିନଥିଲେ। ସମୟ ବିତିବା ସହ ପ୍ରାଚୀବିହାରସ୍ଥିତ ତାଙ୍କ ବାସଭବନ ଆଗରେ ଧୀରେଧୀରେ ଭିଡ଼ ବଢ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେମା ଜଗତ ଓ ଯାତ୍ରା ଜଗତର ବହୁ ନାମକରା କଳାକାରଙ୍କ ଗହଳିଚହଳି ଲାଗି ରହିଥିଲା। କେବଳ ସେତିକି ନୁହେଁ, ତାଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ଗଲା ପରେ ସେଠାରେ ବି ଲୋକାରଣ୍ୟ ହୋଇଯାଇଥିଲା। ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ଆରମ୍ଭ କରି ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା ଅସିତ ପତି, ଉଷଶୀ ମିଶ୍ରଙ୍କ ଭଳି ବହୁ ନାମୀଦାମୀ କଳାକାର ତାଙ୍କ ଶେଷଦର୍ଶନ କରିଥ‌ିଲେ।

ସ୍ବପ୍ନରେ ରହିଗଲା ଫାର୍ମହାଉସ୍‌

ହସଖୁସି ମିଜାଜ୍‌ର ରାଇମୋହନଙ୍କ ଫାର୍ମହାଉସ୍‌ର ସ୍ବପ୍ନ ସ୍ବପ୍ନରେ ରହିଗଲା। ନିଜର ଏକ ଫାର୍ମହାଉସ୍‌ କରିବେ ବୋଲି ସାଥୀ କଳାକାରଙ୍କୁ କହିଥିଲେ। ଆଉ ଏଥିପାଇଁ ରାଜଧାନୀ ଆଖପାଖ ଅଞ୍ଚଳରେ ଜମି ଖୋଜା ବି ଚାଲିଥିଲା। ହେଲେ କିଏ ଜାଣିଥିଲା ଯେ ଫାର୍ମହାଉସ୍‌ ତିଆରି କରିବା ପୂର୍ବରୁ ସେ ନିଜେ ଏମିତି ଅଧାବାଟରେ ଅଟକି ଯିବେ।

ସାର୍‌ଙ୍କ ଡାଏଲଗ୍‌ରେ ମୁଁ ରୋଜଗାର କରେ

publive-image

କାନ୍ଦି କାନ୍ଦି କିଏ କହୁଥାଏ, ଭାଇ ମୋତେ ହାତ ଧରାଇ କଳା ଶିଖାଇଛନ୍ତି। ଆଉ କିଏ କହୁଥାଏ, ସାର୍‌ଙ୍କ ଡାଏଲଗ୍‌ କହି ଆଜି ମୁଁ ରୋଜଗାର କରୁଛି। ପରଦା ଦୁନିଆ ଓ ତାଙ୍କ ବ୍ୟକ୍ତିଗତ ଜୀବନ ପୂରା ଅଲଗା। ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ପରଦାରେ ଭୟ ସଂଚାର କରୁଥିବା ଲୋକଟି କେବେ କାହାରି ମନରେ କଷ୍ଟ ଦେଇନାହାନ୍ତି। ଏତେ ବଡ଼ କଳାକାର ହୋଇଥିଲେ ବି ତିଳେମାତ୍ର ଗର୍ବ, ଅହଂକାର ନଥିଲା। ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଯିଏ କହିଲା, ତାହା ସହ ସେଲ୍‌ଫି। ହଁ ସେ ଅତି ଭାବପ୍ରବଣର ଲୋକ ଥିଲେ। ଏହା ହିଁ ତାଙ୍କ ଦୁର୍ବଳତା ଥିଲା। ଏମିତି କିଛି ଶୁଣିବାକୁ ମିଳିଥିଲା ତାଙ୍କ ଘର ସମ୍ମୁଖରେ ଭିଡ଼ ଜମାଇଥିବା କଳାକାର ଓ ସ୍ଥାନୀୟ ଲୋକଙ୍କ କାନ୍ଦ କାନ୍ଦ ମୁହଁରୁ।

ଶେଷ ପାଉଣା ‘ଓମ୍‌ ସ୍ବାହା’

publive-image

ଏଲ୍‌ଟି ପ୍ରଡକ୍ସନ୍‌ର ‘ଓମ୍‌ ସ୍ବାହା’ରେ ରାଇମୋହନ ମୁଖ୍ୟ ଭୂମିକାରେ ଥିଲେ। ସେଥିରେ ତାଙ୍କର ୫୦ରୁ ଅଧିକ ସିନ୍‌ ରହିଛି। ଚଳଚ୍ଚିତ୍ରର ସୁଟିଂ ସରିଥିବା ବେଳ ଖାଲି ଡବିଂ ବାକି ଥିଲା। ଗୁରୁବାର ଦିନ ନିଜେ ଲୁବୁନ୍‌ ରାଇମୋହନଙ୍କ ଘରକୁ ଯାଇ ଏ ବିଷୟରେ ଆଲୋଚନା କରିଥିଲେ। ସପ୍ତାହକ ମଧ୍ୟରେ ଡବିଂ ସାରିଦେବା ବୋଲି ରାଇମୋହନ କହିଥିଲେ। ଆଲୋଚନା ପରେ ଲୁବୁନ୍‌ ରାଇମୋହନଙ୍କ ବାକି ଥିବା ପାଉଣା ଦେଇ ଫେରି ଆସିଥିଲେ। ଏହା ହିଁ ଥିଲା ରାଇମୋହନଙ୍କ ଶେଷ ପାଉଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe