ସୃଜନ ପୃଥିବୀର ଯେକୌଣସି ସୀମାକୁ ଲଂଘନ କରିପାରେ

ବାଗ୍‌ଦେବୀ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

ସୃଜନ ପୃଥିବୀର ଯେକୌଣସି ସୀମାକୁ ଲଂଘନ କରିପାରେ

ଜୟନ୍ତ ମହାପାତ୍ରଙ୍କୁ ବାଗ୍‌ଦେବୀ ସମ୍ମାନ

ଚନ୍ଦ୍ରଶେଖରପୁର : ସୃଜନ ପୃଥିବୀର ଯେକୌଣସି ସୀମାକୁ ଲଙ୍ଘନ କରିପାରେ। ବ୍ୟକ୍ତିକୈନ୍ଦ୍ରିକ ଜୀବନରୁ ଊର୍ଧ୍ୱକୁ ଯାଇ ପ୍ରସାରିତ ଭାବନା ହିଁ ଯଥାର୍ଥ ସାହିତ୍ୟ ବୋଲି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଆଜି ସ୍ଥାନୀୟ ରେଳ ସଦନ ସଭାଗୃହରେ ବାଗ୍‌ଦେବୀ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପ୍ରଥମ ‘ବାଗ୍‌ଦେବୀ ସାହିତ୍ୟ ମହୋତ୍ସବ’ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଏପରି ମତ ଦେଇଥିଲେ। ବିଶିଷ୍ଟ କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀଣ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ ସାହିତ୍ୟ ‘କମନ୍‌ ମ୍ୟାନ୍‌’ର କଥା ବଦଳରେ ‘ମ୍ୟାନ୍‌’ର କଥା କହିବା ଦରକାର ଥିବା କହିଥିଲେ। ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର କମିସନର୍‌ ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, କବି ତଥା ଆୟକର କମିସନର୍‌ ଶରତ କୁମାର ଦାସ, ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଡ. ଆଲୋକ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶିକ ଡ. ମମତା ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ଖ୍ୟାତିସଂପନ୍ନ କବି ଡ. ଜୟନ୍ତ ମହାପାତ୍ରଙ୍କୁ ‘ବାଗ୍‌ଦେବୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶିଷ୍ଟ ତବଲା ବାଦକ ହର୍‌ମୋହନ ଖୁଣ୍ଟିଆଙ୍କୁ ମଧ୍ୟ ‘ବାଗ୍‌ଦେବୀ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ନାରୀର ମହନୀୟତାକୁ ଆଧାର କରି ଏକ ଫଟୋ ଓ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଦୁଇଦିନିଆ ସାହିତ୍ୟ ଉତ୍ସବରେ ସଂଲଗ୍ନ କବିତା ପାଠ, ଆଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲେଖକ, କଳାକାର, ଶିଳ୍ପୀମାନେ ଯୋଗ ଦେଇଛନ୍ତି। ପ୍ରଥମ ପର୍ବରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe