ଟ୍ରେନ ଦୁର୍ଘଟଣା: ମେହେନ୍ଦି ଛାଡ଼ିନି, ଲିଭିଗଲା ସିନ୍ଦୂର

Advertisment

ଶାନ୍ତିପଲ୍ଲୀ ବସ୍ତିରେ ଶୋକର ଛାୟା

ଶାନ୍ତିପଲ୍ଲୀ ବସ୍ତିରେ ଶୋକର ଛାୟା

ଟ୍ରେନ ଦୁର୍ଘଟଣା: ମେହେନ୍ଦି ଛାଡ଼ିନି, ଲିଭିଗଲା ସିନ୍ଦୂର

ଭୁବନେଶ୍ବର: ହାତରୁ ମେହେନ୍ଦି ଛାଡ଼ିନି, ପାଦରୁ ବି ବାହା-ଅଳତା ଲିଭିନି; ମଥାରୁ ସିନ୍ଦୂର ପୋଛିଦେଲା ‘କରମଣ୍ଡଳ’। ସାତ ଜନମର ସାଥୀ କରିବାର ପ୍ରତିଶ୍ରୁତି ଦେଇ ପାଖାପାଖି ମାସେ ତଳେ ଲିପାଙ୍କ ହାତ ଧରି ଘରକୁ ଆଣିଥିଲେ ତାପସ। ବେଶ୍‌ ଜାକଜମକରେ ଦୁହିଁଙ୍କ ବାହାଘର ହୋଇଥିଲା। କିନ୍ତୁ ସେମାନଙ୍କ ହସଖୁସିର ସଂସାର ଆରମ୍ଭ ହେବା ପୂର୍ବରୁ ସବୁ କିଛି ଖିନ୍‌ଭିନ୍‌ ହୋଇଗଲା। ବାହାନଗା ରେଳ ଦୁର୍ଘଟଣା ସବୁଦିନ ପାଇଁ ତାପସଙ୍କୁ ଛଡ଼ାଇନେଲା। ତାପସଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ପରିବାରଲୋକ ଭୋକ-ଶୋଷ-ନିଦ, ସବୁ ଭୁଲି ଯାଇଛନ୍ତି। କାନ୍ଦି କାନ୍ଦି ଆଖିରୁ ଲୁହ ବି ସରିଗଲାଣି। ଆଉ ସବୁଠାରୁ ନିଜର ମଣିଷକୁ ହରାଇଥିବା ଲିପାଙ୍କ ଉପରେ ଯେମିତି ଆକାଶଟା ଛିଡ଼ି ପଡ଼ିଛି। ତାଙ୍କ ପାଇଁ ଦିନ-ରାତି ସବୁ କିଛି ସମାନ ହୋଇଯାଇଛି। ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ। ଘଡ଼ିକି ଘଡ଼ି ମୂର୍ଚ୍ଛା ଯାଉଛନ୍ତି। ଭୁବନେଶ୍ବର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଏ ଛାତିଥରା ଦୃଶ୍ୟ ଦେଖି ଲୋକଙ୍କ ଆଖି ଆପେଆପେ ଛଳଛଳ ହୋଇଯାଉଛି।

ତିନି ଭାଇରେ ମଝିଆଁ ତାପସ ପୃଷ୍ଟି ବାଲେଶ୍ବର ଷ୍ଟେସନ୍‌ ବଜାରରେ ଥିବା ଏକ କମ୍ପାନିରେ କାମ କରନ୍ତି। ଗତ ଏପ୍ରିଲ ୨୨ ତାରିଖରେ ସେ ଲିପାଙ୍କୁ ବିବାହ କରିଥିଲେ। ଗତ ଶୁକ୍ରବାର ସଂଧ୍ୟାରେ ସେ ଘରକୁ ବାହୁଡୁଥିଲେ। ବାଲେଶ୍ବରରେ ଟ୍ରେନ୍‌ ଧରୁ ଧରୁ ଲିପାଙ୍କୁ ଆଗୁଆ ଫୋନ୍‌ କରି ଜଣାଇ ଦେଇଥିଲେ। ପହଞ୍ଚିବା ବେଳକୁ ରାତି ୧୧ଟା ହୋଇଯିବ, ତେଣୁ ତାଙ୍କ ପାଇଁ ଖାଇବା ରଖିବାକୁ ବି କହିଥିଲେ। କିନ୍ତୁ ସେ ଯେ ଯମ ସହ ଯାତ୍ରା କରୁଛନ୍ତି, ତାହା ଜାଣି ପାରିନଥିଲେ। ବାଲେଶ୍ବରରୁ ବାହାରିବାର କିଛି ସମୟ ପରେ ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଗଲା। ଏପଟେ, କରମଣ୍ଡଳର ଦୁର୍ଘଟଣା ଖବର ଶୁଣି ପରିବାରଲୋକ ତାଙ୍କୁ ଘନଘନ ଫୋନ୍‌ କରିଥିଲେ। କିନ୍ତୁ ତାଙ୍କ ଫୋନ୍‌ ବନ୍ଦ ପରିବାରଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିଲା।

publive-image

ସେ କାଳର ରାତିରେ କାହାରି ଆଖିକୁ ନିଦ ନଥିଲା। ଟିଭି ପରଦାରୁ ଆଖି ହଟୁ ନଥିଲା। ମନକୁ ବାରମ୍ବାର ପାପ ଛୁଉଁଥି‌ଲେ ହେଁ କେହି କାହାକୁ କିଛି କହୁନଥିଲେ। ମନେମନେ ତାପସଙ୍କ କୁଶଳ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ। କିନ୍ତୁ ପରଦିନ ସକାଳର ଗୋଟିଏ ଫୋନ୍‌ କଲ୍‌, ଦଇବ ଉପରୁ ସେମାନଙ୍କ ଭରସା ତୁଟାଇ ଦେଇଥିଲା। ରେଳ ଦୁର୍ଘଟଣାରେ ତାପସଙ୍କର ମୃତ୍ୟୁ ହୋଇଛି ବୋଲି କେହି ଜଣେ ଫୋନ କରି ଜଣାଇଥିଲେ। ସାଙ୍ଗେ ସାଙ୍ଗେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ତାଙ୍କ ଘର। କେହି କାହାକୁ ସାନ୍ତ୍ବନା ଦେବା ସ୍ଥିତିରେ ବି ନଥିଲେ। କିଛି ଆତ୍ମୀୟଙ୍କ ସହାୟତାରେ ଗାଡ଼ି କରି ତ‌ାଙ୍କ ମୃତଦେହ ଭୁବନେଶ୍ବର ଅଣାଯାଇଥିଲା। ଏହି ଘଟଣାକୁ ୨ଦିନ ବିତିଯାଇଥିଲେ ବି ତାପସ ଯେ ଆଉ ଦୁନିଆରେ ନାହାନ୍ତି, ତାହା ପରିବାରଲୋକ ବିଶ୍ବାସ କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe