ବାଲିଅନ୍ତା‌,ବାଲିପାଟଣାରେ ତାଣ୍ଡବ

ଭାଙ୍ଗିଗଲା ଅଟୋ, ୩ ବାଇକ୍‌, କାନ୍ଥ ପଡ଼ି ୫ ଗାଈ, ୫ ମଇଁଷି, ୧୧ ମେଣ୍ଢା ମୃତ, ଉଜୁଡ଼ିଲା ଫସଲ

ଫନି ବିପନ୍ନଙ୍କ ପାଇଁ ଜେଏନୟୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହାୟତା, ସଂଗ୍ରହ କଲେ ୬୦ ହଜାର ଟଙ୍କା

ବାଲିଅନ୍ତା/ବାଲିପାଟଣା : ଫନି ପ୍ରଭାବରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ବାଲିଅନ୍ତା ବ୍ଲକ ଅଧୀନ ପୂରଣପଧାନ ପଞ୍ଚାୟତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଆଜ୍‌ବେଷ୍ଟସ ମାଡ଼ରେ ଗୁରୁତର ଆହତ ହୋଇଥିଲେ। ହେଲେ ଉକ୍ତ ହସ୍ପିଟାଲ ପକ୍ଷରୁ ତାଙ୍କୁ ଆବଶ୍ୟକ ସେବା ଯୋଗାଇ ଦିଆନଯିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଚକ୍ରପାଣି ରେଡ୍ଡି (୫୮)। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଅପରାହ୍‌ଣରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମୃତକଙ୍କ ସ୍ତ୍ରୀ କସ୍ତୁରୀ ରେଡ୍ଡୀ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଭାଙ୍ଗିଗଲା ଅଟୋ, ୩ ବାଇକ୍‌
ରଣପୁର ଗ୍ରାମର କ୍ଷେତ୍ରମୋହନ ମହାନ୍ତିଙ୍କ ଗ୍ୟାରେଜ କାନ୍ଥ ଭାଙ୍ଗିଯିବାରୁ ଭିତରେ ଥିବା ଗୋଟିଏ ବୁଲେଟ୍‌ ଓ ଗୋଟିଏ ଆକ୍ଟିଭା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସେହି ଗ୍ରାମର ମଦନ ମୋହନ ବେହେରା ଉକ୍ତ ଗ୍ୟାରେଜର ରଖିଥିବା ତାଙ୍କ ବାଇକ୍‌ ଭାଙ୍ଗିରୁଜି ଯାଇଛି। ଏଥିସହ ପୂରଣପଧାନ ଗ୍ରାମର ପ୍ରଶାନ୍ତ ପ୍ରଧାନ ନାମକ ଜଣେ ଅଟୋ ଚାଳକଙ୍କ ଅଟୋ ଗଛପଡ଼ି ଭାଙ୍ଗି ଯାଇଛି।

publive-image

କାନ୍ଥ ପଡ଼ି ୫ ଗାଈ, ୫ ମଇଁଷି, ୧୧ ମେଣ୍ଢା ମୃତ
ବାଲିଅନ୍ତା ବ୍ଲକ ଅଧୀନ ବ୍ରାହ୍ମଣ ସୁଆଁଲୋ ଓ କଣ୍ଟାଗୋଠ ଗ୍ରାମରେ ଗୁହାଳ କାନ୍ଥ ପଡ଼ି ୫ ଗାଈ, ୫ ମଇଁଷି ଓ ୧୧ ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ବ୍ରାହ୍ମଣ ସୁଆଁଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଗୁହାଳ କାନ୍ଥ ପଡ଼ିଯିବାରୁ ଭିତରେ ଥିବା ଗୋଟିଏ ଗାଈ ଓ ୧୧ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଏଥିସହ ୬ଟି ଗାଈ ଆହତ ହୋଇଛନ୍ତି। ଗୋରୁ ଓ ମେଣ୍ଢାଙ୍କୁ ଉଦ୍ଧାର କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ଜଗବନ୍ଧୁ(୧୮)ଙ୍କ ଗୋଡ଼ ଭାଙ୍ଗିଯାଇଛି। କଣ୍ଟାଗୋଠ ଗ୍ରାମର ଜଗବନ୍ଧୁ ବେହେରାଙ୍କ ୪ଟି ଗାଈଙ୍କ ମୃତ୍ୟୁ ଘଟିଛି। ସେହିପରି ଉକ୍ତ ଗ୍ରାମର ଜଣେ ଗୋପାଳଙ୍କ ୫ଟି ମଇଁଷିଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ଗ୍ରାମର ମଙ୍ଗୁଳି ମାଣିଆଙ୍କର ମଧ୍ୟ ଗୋଟିଏ ଗାଈ ଗୁରୁତର ଆହତ ହୋଇଛି। ଏଥିସହିତ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆହୁରି ଅନେକ ଗୃହପାଳିତ ପ୍ରାଣୀ ମୃତାହତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼କଥା ହେଉଛି ଇତିମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଟିମ୍‌ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା
ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ଖୋଲିଥିବା ୧୩୦ ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ହୋଇଛି। କିଛି ଆଶ୍ରୟସ୍ଥଳୀରେ ଜେନେରେଟର ନଥିବାରୁ ଲୋକାମନେ ଅନ୍ଧାରରେ ହିନସ୍ଥା ହୋଇଥିଲେ। ଆଉ କିଛି କେନ୍ଦ୍ରରେ ଔଷଧପତ୍ର ସମସ୍ୟା ମଧ୍ୟ ଦେଖାଦେଇଥିଲା। ଏନେଇ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା।

publive-image

ଉଜୁଡ଼ିଲା ଫସଲ
ପ୍ରବଳ ପବନ ଓ ବର୍ଷା ଯୋଗୁ ବାଲିଅନ୍ତା ଅଞ୍ଚଳରେ ଶହଶହ ହେକ୍ଟର ଜମିରେ ରବି ଫସଲ ଯଥା ଧାନ, ମୁଗ, ବିରି ତଥା ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି। କେଉଁଠି ପାଚିଲା ଧାନ କ୍ଷେତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରୁଛି ତ ‌ଆଉ କେଉଁଠି ‌ଧାନ ପବନରେ ପିଟି ହୋଇ ନଷ୍ଟ ହୋଇଛି। କ୍ଷେତରୁ ପାଣି ନିସ୍କାସନରେ ବିଳମ୍ବ ହେଉଥିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କ ଦେଖା ଦେଇଛି। ହେଲେ ଏଯାଏ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଦାୟିତ୍ବରେ ଥିବା ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ପନିପରିବା ଫସଲ ମଧ୍ୟ ଉଜୁଡ଼ି ଯାଇଛି। ବାଡ଼ିବଗିଚାରେ ଭଣ୍ଡା, କଦଳୀ ଓ ସଜନା ଗଛ ସବୁ ପବନରେ ଭାଙ୍ଗି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe