୮ଘଣ୍ଟା ବିଦ୍ୟୁତ କାଟ : ମେଡିକାଲରେ ରୋଗୀ କଲବଲ

Advertisment
୮ଘଣ୍ଟା ବିଦ୍ୟୁତ କାଟ : ମେଡିକାଲରେ ରୋଗୀ କଲବଲ

ବାଲିପାଟଣା : ରବିବାର ୮ ଘଣ୍ଟା ବିଦ୍ୟୁତ କାଟ ହେବ ବୋଲି ସୂଚନା ଦିଆଯାଇଥିଲା। ହେଲେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଲେନି। ଫଳରେ ଦୁର୍ଦ୍ଦଶା ଭୋଗିଲେ ରୋଗୀ। ଏଭଳି ଘଟଣା ଆଜି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଥିଲା।

ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ରୋଗୀ ସାଲାଇନ ଲାଗି ବେଡରେ ରହିଥିଲେ। ହେଲେ ୱାର୍ଡ ଭିତରେ ଫ୍ୟାନ ବୁଲିନଥିଲା। ସମ୍ପର୍କୀୟମାନେ ସେମାନଙ୍କୁ କାଗଜ ପଟିରେ ବିଞ୍ଚିଥିଲେ। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜୟଦେବେ ବିଧାୟକ ଅରବିନ୍ଦ ଢାଲି ରୋଗୀକଲ୍ୟାଣ ସମିତି ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତି ପାଇଁ ବିଧାୟକ ପାଣ୍ଠିରୁ ଡିଜି ସେଟ୍‌ ଜେନେରେଟର ଏବଂ ଥଣ୍ଡା ପାନୀୟ ଜଳ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଅନୁମତି ଦେଇସାରିଛନ୍ତି। କିନ୍ତୁ ବ୍ଲକ ପ୍ରଶାସନର ସହକାରୀ ଯନ୍ତ୍ରୀଙ୍କ ଅସୁସ୍ଥତା କାରଣରୁ କାମ ବିଳମ୍ୱ ହେଉଛି। କରୋନା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ବିଧାୟକ ଶ୍ରୀ ଢାଲି କହିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମନୋରଞ୍ଜନ ହାତୀଙ୍କୁ ପଚାରିବାରୁ ସେ କହିଛନ୍ତି ମେଡିକାଲରେ ଥିବା ଜେନେରେଟର ଅଧିକ କ୍ଷମତା ସମ୍ପନ୍ନ ନୁହେଁ। ତେଣୁ କେବଳ କିଛି ଗୃହକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଅଧିକ କ୍ଷମତା ସମ୍ପନ୍ନ ଡିଜି ଜେନେରେଟର ବସାଗଲେ ସମସ୍ୟାର ସମାଧାନ ହୋଇ ପାରିବ। ଘଣ୍ଟା ଘଣ୍ଟା ରୋଗୀ ହନ୍ତସନ୍ତ ହେଲାପରେ ଅପରାହ୍ନ ୪ଟା ବେଳକୁ ୱାର୍ଡକୁ ଲାଇନ ସଂଯୋଗ ହେଲା। କ’ଣ ପାଇଁ ଏତେ ସମୟ ରୋଗୀଙ୍କୁ କଷ୍ଟରେ ରଖା ଯାଇଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe