ବାଲିପାଟଣା: ବାଲିପାଟଣା ପ୍ରେସ୍ କ୍ଲବ୍ର ୨୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ମା’କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ପ୍ରେସ୍ କ୍ଲବ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ କହିଥିଲେ, ଜନ୍ମମାଟିର ମମତା ହିଁ ଜଣେ ସାମ୍ବାଦିକଙ୍କୁ ସ୍ୱାଭିମାନୀ କରିବା ସହ ତା’ର କଲମକୁ ସଶକ୍ତ କରିଥାଏ। ସ୍ୱାଭିମାନୀ ହେଲେ କାର୍ଯ୍ୟରେ ତାହା ପ୍ରତିଫଳିତ ହୋଇଥାଏ ଓ ସୁନାମ ଆପେଆପେ ଆସେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବି ତୀବ୍ର ନିନ୍ଦା କରିଥିଲେ।ସୂଚନା ଓ ଲୋକ ସଂପର୍କ ବିଭାଗର ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାର ସାମ୍ବାଦିକଙ୍କ ପାଇଁ ଘୋଷଣା କରିଥିବା ଯୋଜନାର ଭୂୟସୀ ପ୍ରଶଂସା କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଅଖଣ୍ଡ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ସମାସ୍ୟା ଉପରେ କହିଥିଲେ। ପତ୍ରିକା ପ୍ରାଚୀଧାରାର ‘ବାପା’ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ବନମାଳିପୁରର କୁଶଭଦ୍ରା ସାଂସ୍କୃତିକ ପରିଷଦ, ରାଜସର ନୀଳକଣ୍ଠେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ,ଘୋଡ଼ାନାଚ ଗାୟକ ଗୋପାଳ ଚନ୍ଦ୍ର ବେହେରା, ସାମାଜିକ କର୍ମୀ ଅଖଣ୍ଡ, ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ଓ ସାମାଜିକ କର୍ମୀ ପୁଷ୍ପଲତା ବେହେରାଙ୍କୁ ସମ୍ବର୍ଧିତ କରାଯାଇଥିଲା। କ୍ଲବର ଉପସଭାପତି ଅଭିମନ୍ୟୁ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଂପାଦକ ହେମନ୍ତ କୁମାର ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ। କ୍ଲବର ସମସ୍ତ ସଭ୍ୟ ଉତ୍ସବକୁ ପରିଚାଳନା କରିଥିଲେ।
ଜନ୍ମମାଟିର ମମତା ସାମ୍ବାଦିକଙ୍କୁ ସ୍ୱାଭିମାନୀ , କଲମକୁ ସଶକ୍ତ କରେ
Advertisment
Follow Us