Advertisment

ଅନ୍ଧାରରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ମୋବାଇଲ ଟର୍ଚରେ ରୋଗୀ ଦେଖା, ଓ୍ଵାର୍ଡରେ ମହମବତି ଭରସା

Advertisment
ଅନ୍ଧାରରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ମୋବାଇଲ ଟର୍ଚରେ ରୋଗୀ ଦେଖା, ଓ୍ଵାର୍ଡରେ ମହମବତି ଭରସା

ବାଲିପାଟଣା : ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଉଛି। ମାତ୍ର ରାଜଧାନୀର ଉପକଣ୍ଠରେ ଥିବା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଡାକ୍ତର ମୋବାଇଲ୍‌ ଟର୍ଚରେ ରୋଗୀ ଦେଖୁଛନ୍ତି। ଔଷଧ ଚିଠା ଲେଖୁଛନ୍ତି। ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଭରସା ହେଉଛି ମହମବତି। ଏପରିକି ସଂପୂର୍ଣ୍ଣ ମେଡିକାଲ୍‌ ଘଣ୍ଟା ଘଣ୍ଟା ଅନ୍ଧାରରେ ରହୁଛି। ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୋମବାର ରାତି ପ୍ରାୟ ସାଢ଼େ ୬ଟାରୁ ୭ଟା ସମୟରେ ଡାକ୍ତରଖାନା ସାରା କିଟିମିଟି ଅନ୍ଧାର ହୋଇଯାଇଥିଲା। କାର୍ଯ୍ୟରତ ଡାକ୍ତର ଶ୍ରୀକାନ୍ତ ବେହେରା ନିଜ ମୋବାଇଲ ଓ ନର୍ସଙ୍କ ମୋବାଇଲ ଲାଇଟ୍‌ରେ ଘଣ୍ଟାଘଣ୍ଟା ଧରି ରୋଗୀଙ୍କୁ ଚିକିତ୍ସା କରୁଥିବାର ଦେଖାଯାଇଥିଲା। କେବଳ ସେତିକି ନୁହେଁ, ଅନ୍ଧାର ହୋଇଯିବା ଫଳରେ ଓ୍ଵାର୍ଡରେ ଲୋକଙ୍କ ମୁହଁକୁ ମୁହଁ ବି ଦେଖାଯାଉ ନ ଥିଲା। ଡାକ୍ତରଙ୍କ ରୁମ୍‌ଠାରୁ ଆରମ୍ଭ କରି ଓପିଡି, ମହିଳା, ପୁରୁଷ ଓ୍ଵାର୍ଡ, ପ୍ରସୂତି ରୁମ୍‌ ଅନ୍ଧାର ହୋଇଯାଇଥିଲା। ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ସଂପର୍କୀୟମାନେ ବି ମହମବତି ଲଗାଇ ବସିଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି ସମାସ୍ୟା କେବଳ ଗୋଟିଏ ଦିନର ନୁହେଁ। ପ୍ରତିଦିନ ରାତିରେ ବିଦ୍ୟୁତ୍‌ କାଟ ଜାରି ରହିଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ପରିସ୍ଥିତି ଉପୁଜୁଥିବା ରୋଗୀ ଓ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ବି ଅସ୍ୱୀକାର କରି ନାହାନ୍ତି। ଡାକ୍ତର ବେହେରାଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ ସ୍ୱାସ୍ଥ୍ୟକେନ୍ଦ୍ରର ଜେନେରେଟର କି ଇନ୍‌ଭର୍ଟର ଚାଲୁ ନଥିବାରୁ ବିଦ୍ୟୁତ କାଟ ବେଳେ ସଂପୂର୍ଣ୍ଣ ଅନ୍ଧାର ହୋଇଯାଉଛି। ଇନଭର୍ଟର ବ୍ୟାଟେରି ଖରାପ ହୋଇ ବ୍ୟାକଅପ୍‌ ରଖୁ ନଥିବାବେଳେ କିରାସିନି ମିଳୁ ନଥିବାରୁ ଜେନେରେଟର୍‌ଟି ଚାଲି ପାରୁ ନାହିଁ।

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଜୟଦେବ ନିର୍ବାଚନ ମଣ୍ଡଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା। ଏଠାକୁ ଦୈନିକ ପ୍ରାୟ ୨୫୦ରୁ ଅଧିକ ରୋଗୀ ଆସିଥାନ୍ତି। ପ୍ରତ୍ୟକ ଦିନ ଡାକ୍ତରଖାନାରେ ୬ରୁ୭ଜଣ ରୋଗୀ ଆଡ୍‌ମିଟ୍‌ ହୋଇ ରହନ୍ତି। କିନ୍ତୁ ବିଦ୍ୟୁତ୍‌କାଟବେଳେ ଡାକ୍ତରଖାନାଟି ଅନ୍ଧାର ହୋଇଯାଉଥିବାରୁ ଡାକ୍ତରଙ୍କଠୁ ନେଇ ରୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ଏ ସଂପର୍କରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ମମତା ରଥଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ନୂଆଭାବେ ଦାୟିତ୍ୱ ନେଇଛି। ବ୍ଲକ୍‌ରୁ କିରାସିନି ମିଳୁଥିଲା। କିନ୍ତୁ ପ୍ରାୟ ୨ମାସ ହେବ ତାହା ବି ମିଳୁନାହିଁ। ଏନେଇ ବିଡିଓଙ୍କୁ ମୁଁ ଚିଠି ଲେଖିଲେ ବି ପ୍ରତିକାର କିଛି ହେଉନି। ସେହିପରି ପ୍ରାୟ ବର୍ଷେରୁ ଅଧିକ ଦିନ ହେବ ରୋଗୀ କଲ୍ୟାଣ ସମିତି ମିଟିଂ ହୋଇ ପାରି ନାହିଁ। ଯାହାଫଳରେ ଇନ୍‌ଭର୍ଟର ଠିକ୍‌ ହୋଇପାରୁ ନାହିଁ। ଟିକାକରଣ ଅଭିଯାନ ଚାଲୁଥିବାରୁ ବ୍ୟସ୍ତ ଥିଲୁ। ଖୁବ୍‌ ଶୀଘ୍ର ସବୁ ସମାସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe