ହଟିଲା ବ୍ରହ୍ମକୁମାରୀ ଆଶ୍ରମ ଓ ମହିଳା ସମିତି ଘର

ବାଲୁଙ୍କେଶ୍ୱର ଜଳାଶୟରେ ଜବରଦଖଲ ଘଟଣା

ହଟିଲା ବ୍ରହ୍ମକୁମାରୀ ଆଶ୍ରମ ଓ ମହିଳା ସମିତି ଘର

ଭୁବନେଶ୍ୱର: ନୂଆପଲ୍ଲୀ ବେହେରାସାହି ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀରୁ ଆଜି ପୁଣିଥରେ ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ ଓ ବିଏମସିର ଅଧିକାରୀମାନେ ଆଜି ସେଠାରୁ ବ୍ରହ୍ମକୁମାରୀ ଆଶ୍ରମ ଓ ମହିଳା ସମିତିର ଏକ ଘରକୁ ଉଚ୍ଛେଦ କରିଛନ୍ତି। ପାଖାପାଖି ୩ ଘଣ୍ଟା ଅପରେସନ୍‌ ପରେ ସମସ୍ତ ଘରଗୁଡ଼ିକୁ ଭଙ୍ଗାଯିବା ସହ ଜବରଦଖଲମୁକ୍ତ କରାଯାଇଛି। ଗତକାଲି ସେଠାରେ କେତେକ ନିର୍ମାଣାଧୀନ କୋଠରୀକୁ ଭଙ୍ଗାଯାଇଥିବା ବେଳେ କିଛି ଦିନ ତଳେ ଆଇନଜୀବୀ ସଂଘର ଏକ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ସେହିପରି ସେଠାରେ ଥିବା ଶନି ମନ୍ଦିରକୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି ବିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷେ ଜଳାଶୟର ପୁନରୁଦ୍ଧାର ଓ ଡ୍ରେନେଜ୍‌ ସମସ୍ୟାର ସମାଧାନ ଦାବିରେ ୫ଦିନ ଧରି ଧାରଣା ଦେଇଥିବା ଯୁବ ଓଡ଼ିଶାର କର୍ମକର୍ତାମାନେ ଉଚ୍ଛେଦ ପରେ ଗତକାଲି ଅନଶନରୁ ଓହରିଥିଲେ। ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ପୁଲିସ ଓ ବିଡିଏର କିଛି ଅଧିକାରୀ ଆନ୍ଦୋଳନକାରୀଙ୍କୁ ୩ଟି ନୂଆ ଡ୍ରେନ ନିର୍ମାଣ କରିବା ସମେତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ୭ ଏକର ବିଶିଷ୍ଟ ଏହି ଜଳାଶୟକୁ ପୋତି କିଛି ଲୋକ ସେଠାରେ ବେଆଇନ ନିର୍ମାଣ କରିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe